ଜମି ବଦଳରେ ଲୋକଙ୍କ ଗିରଫଦାରୀ ସହ ମାଡ଼ ମାରୁଥିବା ସରକାର ଜମିହରାଙ୍କୁ କେମିତି କରିବ କମ୍ପାନୀର ଅଂଶିଦାର ?

ନନ୍ଦିଘୋଷ ବ୍ୟୁରୋ: ଏଣିକି କମ୍ପାନୀକୁ ଜମି ଦେଇଥିବା ଜମିହରା ଲୋକ ସେହି କମ୍ପାନୀର ଅଂଶୀଦାର ହେବେ । ଖୁବଶୀଘ୍ର ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ବିସ୍ଥାପନ ନୀତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ସେପଟେ ସରକାରୀ ବିସ୍ଥାପନ ନୀତି ଆଣିବା ପୂର୍ବରୁ ଦେଖାଦେଇଛି ବିବାଦ । ଜମି ବଦଳରେ ଲୋକଙ୍କ ଗିରଫଦାରୀ ସହ ମାଡ଼ ମାରୁଥିବା ସରକାର କେମିତି ଜମିହରାଙ୍କୁ କମ୍ପାନୀରେ ଅଂଶୀଦାର କରିବେ ବୋଲି ପ୍ରଶ୍ନ କରିଛି ବିଜେଡି । କଂଗ୍ରେସର ଅଭିଯୋଗ, ଲୋଭ ଦେଖାଇ ଜମି ହଡ଼ପ କରିବାକୁ ଏହା ସରକାରଙ୍କ ଷଡ଼ଯନ୍ତ୍ର ।
ଶିଳ୍ପ ପାଇଁ ଜମି ଦେଇ ବିସ୍ଥାପିତ ହେଲେ ମିଳିବ କମ୍ପାନୀର ଅଂଶୀଦାର । ଜମି ନେଇଥିବା କମ୍ପାନୀରୁ ସମାନୁପାତିକ ଲାଭା ପାଇପାରିବେ ଜମିହରା । ରାଜ୍ୟ ସରକାର ଏପରି ଏକ ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବାକୁ ଯାଉଛନ୍ତି । ଖାଲି ସେତିକି ନୁହେଁ । ନୂଆ ନୀତିରେ ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିବା ଲୋକଙ୍କୁ ଜମି ବଦଳରେ ଜମି ଦେବେ ସରକାର, ନଚେତ ଦିଆଯିବ ଜମି ମୂଲ୍ୟର କ୍ଷତିପୂରଣ ।
ନୂଆ ବିସ୍ଥାପନ ନୀତିର ବିଭିନ୍ନ ଦିଗକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି । ଜମି ବଦଳରେ ଜମି କଥା କହି ଲୋକଙ୍କୁ ଭଣ୍ଡାଉଛନ୍ତି ସରକାର । ଲୋକେ ଭିଟାମାଟି କାହିଁକି ଛାଡ଼ିବେ ? ସୁନ୍ଦରଗଡ଼ରେ ଜମିହରାଙ୍କୁ ବୁଲଡୋଜର ଲଗାଇ ମରାଗଲା । ସିଜୁମାଳୀରେ ଜମିହରା ଗିରଫ ହେଲେ । ମୟୂରଭଞ୍ଜ କୁସୁମୀରେ ଖଣି ପାଇଁ ଲୋକଙ୍କୁ ମାଡ଼ ମରାଗଲା । ଯେଉଁ ଅନ୍ତରାଷ୍ଟ୍ରୀୟ କମ୍ପାନୀ ସବୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସରକାର ପରିବର୍ତ୍ତନ ପରେ ସେସବୁ କମ୍ପାନୀ ଏବେ ବାହାର ରାଜ୍ୟକୁ ଚାଲିଗଲେଣି । ନିପନ ଆନ୍ଧ୍ର ମୁହାଁ, ଇଭି କମ୍ପାନୀ ପଳେଇଲା । କାହିଁକି କମ୍ପାନୀ ମୁହଁ ଫେରାଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଜମିହରାଙ୍କୁ କମ୍ପାନୀର ଅଂଶୀଦାର କରିବା କଥା କେବଳ ବାହାନା । ଏପରି କରି ଜମିହରା ଲୋକଙ୍କୁ ଭଣ୍ଡାଇବା ଉଦ୍ୟମକୁ ବିଜେଡି ବରଦାସ୍ତ କରିବ ନାହିଁ ।
ରାଜ୍ୟରେ ଶିଳ୍ପପତିମାନେ ଲୋକଙ୍କ ଜମି ନେଉଛନ୍ତି । ଲୋକ ବିରୋଧ କଲେ ବି ଶୁଣୁ ନଥିବା ଅଭିଯୋଗ କରିଛି କଂଗ୍ରେସ । ଅଂଶୀଦାର ନାଁରେ ଲୋକଙ୍କୁ ଭୁତାଇ ଜମି ହାତେଇବାକୁ ଏହା ସରକାରଙ୍କ ଷଡ଼ଯନ୍ତ୍ର ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ ।
ରାଜ୍ୟର ଅଶାନ୍ତ ପରିସ୍ଥିତି ଓ ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ଯୋଗୁ ଶିଳ୍ପପତି ମୁହଁ ଫେରାଇବା ଆରମ୍ଭ କଲେଣି । ସେପଟେ ଜମିହରା କ୍ଷତିପୂରଣ ଆଶାରେ ଦିନ କାଟୁଛନ୍ତି । ତେବେ ଶିଳ୍ପପତିଙ୍କ ସହ ଆଲୋଚନା ପରେ ଜମିହରାଙ୍କୁ କମ୍ପାନୀର ଅଂଶୀଦାର କରିବା ନୀତି ଆଣିବେ ସରକାର ନା ଜମି ନେବା ପରେ ଲୋକଙ୍କୁ ଭୁଲି ଯିବେ ତାକୁ ନେଇ ସୃଷ୍ଟି ହୋଇଛି ଆଶା ଆଶଙ୍କା ।