SIR ପ୍ରସଙ୍ଗ : ତେଜସ୍ବୀଙ୍କ ପାଇଁ ଫାଇଦା ହେବ ନା ମହଙ୍ଗା
1 min read
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ହେବା ପୂର୍ବରୁ ବିହାର ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ନୀତିଶ କୁମାରଙ୍କ ସରକାରକୁ ହଟାଇ ନୂଆ ସରକାର ଗଠନ କରିବା ଲକ୍ଷ୍ୟରେ ରହିଛି ଇଣ୍ଡି ମେଣ୍ଟ । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରୁଛନ୍ତି । ତେବେ ବିହାରରେ ଅନେକ ଗୁଡ଼ିଏ ମୁଦ୍ଦା ରହିଥିବା ଭୋଟ୍ ଚୋରି ଓ SIR କୁ ପ୍ରସଙ୍ଗ କରିଛନ୍ତି ତେଜସ୍ବୀ । ତେବେ ଏହା ତାଙ୍କ ଲାଗି ଫାଇଦା ହେବ ନା ମହଙ୍ଗା ସାବ୍ୟସ୍ତ ହେବ ଏହାକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳିଛି । ବିହାରରେ ଏବେ ଯାଏ ୬୫ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ପଡ଼ିଥିବା ସୂଚନା ମିଳିଛି । ଯାହାକୁ ନେଇ ତେଜସ୍ବୀ ରଣନୀତି ପ୍ରସ୍ତୁତ କରିଛନ୍ତି ।
ଅଗଷ୍ଟ ୧୭ରୁ ଏଭଳି ବିଭିନ୍ନ ପ୍ରସଙ୍ଗ ନେଇ ତେଜସ୍ବୀ ଯାଦବ ଏବଂ ରାହୁଲ ଗାନ୍ଧୀ ଭୋଟ ଅଧିକାର ଯାତ୍ରା ଏବଂ ବିହାର ବନ୍ଦ ଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ନିର୍ବାଚନ କମିଶନ SIR କରି ମୃତ ଭୋଟର ଏବଂ ଜାଲ ଭୋଟରଙ୍କୁ ବାଦ ଦେଇଥିବା କହୁଛନ୍ତି । ସେପଟେ ମହାଗଠବନ୍ଧନ ପକ୍ଷରୁ ଅଭିଯୋଗ କରାଯାଇଛି କି, ଦଳିତ, ଆଦିବାସୀଙ୍କୁ ଜାଣିଶୁଣି ଭୋଟର ତାଲିକାରୁ ବାଦ କରାଯାଇଛି । ଏକ ନିଦ୍ଧିଷ୍ଟ ବର୍ଗର ୩୫ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଥିବା ଭଳି ଅଭିଯୋଗ ମଧ୍ୟ ହୋଇଛି । ବିଜେପି ଏବଂ ଜେଡିୟୁ ଜାଣିଶୁଣି ଏଭଳି କରିଛି । ସେପଟେ ଆରଜେଡି ପକ୍ଷରୁ କୁହାଯାଉଛି ଏହା ଜାଣିଶୁଣି କରାଯାଇଛି । ଆମକୁ ଦୁର୍ବଳ କରିବା ଏବଂ ଆମ ଭୋଟରଙ୍କୁ ଜାଣିଶୁଣି ତାଲିକାରୁ କଟାଯାଇଛି । ଯାହାକୁ ନେଇ ଆନ୍ଦୋଳନ କରାଯାଉଛି । ତେବେ ଏହା କ୍ଷତି ପହଞ୍ଚାଇବ ଜେଡିୟୁକୁ ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି ।