ପୋଖରୀ ଉନ୍ନତିକରଣ ନାଁରେ ଲୁଟ୍ ଅଭିଯୋଗ
1 min read
ପୋଖରୀ ଉନ୍ନତିକରଣ ନାଁରେ ଲୁଟ୍ ଅଭିଯୋଗ । ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ମିଲିଭଗତରେ ଅର୍ଥ ହେରଫେର । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ପଞ୍ଚାୟତର ତାରିଣୀ ଗଡିଆ ନାଁରେ କରାଯାଇଛି ଟଙ୍କା ଆତ୍ମସାତ । ୨୦୨୩- ୨୪ ଆର୍ଥିକ ବର୍ଷରେ ତାରିଣୀ ଗଡିଆର ଉନ୍ନତି ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ହେଲେ ତାହା କେବଳ କାଗଜ କଲମରେ ଖର୍ଚ୍ଚ ହୋଇଥିବା ଦେଖିବାକୁ ମିଳିଛି । ଶ୍ରମିକଙ୍କ କାମକୁ ପୂରା କରିଥିଲା ମେସିନ । କିନ୍ତୁ ଟଙ୍କା ଯାଇଥିଲା କାମ କରିନଥିବା ଅନ୍ୟ ଲୋକଙ୍କ ଆକାଉଣ୍ଟକୁ । ପରିତାପର ବିଷୟ ଟଙ୍କା ଯାଇଥିବା ଲୋକଙ୍କ ମଧ୍ୟରୁ କିଛି ଦୃଷ୍ଟିବାଧିତ ଥିବା ବେଳେ କେତେକଙ୍କ ମୃତ୍ୟୁ ଘଟିସାରିଛି ।
ଦୁର୍ନୀତିକୁ ବିରୋଧ କରି RTIରୁ ତଥ୍ୟ ସଂଗ୍ରହ କରି ଜିଲ୍ଲା ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଘଟଗାଁର ଯୁବ ଆଇନଜୀବୀ ଅନୀଲ କୁମାର ଦେହୁରୀ । ଯାହାକୁ ନେଇ ଲୋକପାଳ ତାରିଣୀ ଗଡିଆ ଯାଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ଜାଣିବାକୁ ପାଇଥିଲେ କିଛି ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଏଭଳି ଘଟଣା ଘଟିଛି । ତା ପରେ ଆକ୍ସନ ନେଇଛନ୍ତି ଲୋକପାଳ । ମନରେଗା ଯୋଜନାରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷ ଟଙ୍କାରୁ ୮ ଲକ୍ଷ ୫୧ ହଜାର ୮୪୯ ଟଙ୍କା ଦୁଇଟି ପର୍ଯ୍ୟାୟରେ ୬ ଜଣ ଅଧିକାରୀ ତତ୍କାଳୀନ ଦୁଇଜଣ ଜେଇ, ଜଣେ ବିଡିଓ, ଜଣେ ଏଇଇ ଏବଂ ଜଣେ ବି. ଏଫ.ଓଙ୍କ ଠାରୁ ଆଦାୟ କରିବାକୁ ସେ ସୁପାରିସ କରିଛନ୍ତି । ଏହା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି ଲୋକପାଳ ।