ପାଖେଇ ଆସିଲାଣି ଗଣେଶ ପୂଜା: ଚଳଚଞ୍ଚଳ ମୂର୍ତ୍ତି କାରିଗର

ପାଖେଇ ଆସିଲାଣି ଗଣେଶ ପୂଜା । ଚଳଚଞ୍ଚଳ ମୂର୍ତ୍ତି କାରିଗର । ଚିକମିକ ରଙ୍ଗ ଦେଇ ମୂର୍ତ୍ତିକୁ ଦେଉଛନ୍ତି ଶେଷ ସ୍ପର୍ଶ । ପୁରୀ ଜିଲ୍ଲା କାକଟପୁର ଜଗନ୍ନାଥପୁର ଓ ଅସ୍ତରଙ୍ଗ ଅଂଚଳର ହରିଣହୁଳା, ଓସ୍ତପୁର କୁମ୍ଭକାର ଗାଁରେ ଭଳିକି ଭଳି ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି କାରିଗର । ଗ୍ରାହକଙ୍କ ଅର୍ଡର ଅନୁସାରେ ନିର୍ମାଣ କରୁଛନ୍ତି ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ମୁଣ୍ମୟୀ ମୂର୍ତ୍ତି । କାକଟପୁର ଜଗନ୍ନାଥପୁର ଅଂଚଳ ମୂର୍ତ୍ତିର ସ୍ୱତନ୍ତ୍ର ଚାହିଦା ଥିବାରୁ ଜିଲ୍ଲା ତଥା ଜିଲ୍ଲାର କୋଣ ଅନୁକୋଣରୁ ଗ୍ରାହକ ମାନେ ମୂର୍ତ୍ତି କିଣିବାକୁ ଏଠାକୁ ଧାଇଁ ଆସନ୍ତି । କାରିଗର ମାନେ ଭଲ ଦି ପଇସା ବେପାର ଆଶା ରଖି ଅଧିକ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ଗାଁରେ ଚଳଚଞ୍ଚଳ ମୂର୍ତ୍ତି କାରିଗର । ଦିନ ରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ଛୋଟରୁ ବଡ ପର୍ଯ୍ୟନ୍ତ ଭଳିକି ଭଳି ମୂର୍ତ୍ତି ତିଆରି କରୁଛନ୍ତି । କୁଦିଆରୀ ଗାଁରେ ତିଆରି ହେଉଥିବା ମୂର୍ତ୍ତିର ଜଟଣୀ ତଥା ଜଟଣୀ ବାହାରେ ମଧ୍ୟ ବେଶ ଚାହିଦା ରହିଛି । ମୂର୍ତ୍ତି ନେବା ପାଇଁ ଏବେଠାରୁ ବଇନା ଦେଇଗଲେଣି ଗ୍ରାହକ । ହେଲେ ବି ପରିଶ୍ରମ ମୁତାବକ ପାଉଣା ମିଳୁନଥିବା କହିଛନ୍ତି କାରିଗର । ଗଣେଶ ପୂଜା ଠାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଲାଣି ପୁରପଲ୍ଲୀ ।