ନାହିଁ ନାହିଁରେ ଚାଲିଛି ଭୀମସାର: ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ନାହିଁ ନାହିଁରେ ଚାଲିଛି ଭୀମସାର । ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ବିଶ୍ବାସ ହରାଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ପଶ୍ଚିମ ଓଡ଼ିଶା ତଥା ଛତିଶଗଡ ଓ ଝାଡ଼ଖଣ୍ଡ ଜନସାଧାରଣଙ୍କ ବିଶ୍ୱାସ ଯୋଗ୍ୟ ମେଡ଼ିକାଲ ବୁର୍ଲା ଭୀମସାର । ହେଲେ ଏବେ ଏହା ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି । ୨୦୨୩ ରେ ନିର୍ଦ୍ଦେଶକ ଲଳିତ ମେହେର ଅବସର ନେବା ପରେ ଏ ପର୍ଯ୍ୟନ୍ତ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପାଇ ନାହାନ୍ତି । କେତେବେଳେ ଡାକ୍ତର ପଦ ଖାଲି ରହୁଛି ତ ଆଉ କେତେବେଳେ ମେଡ଼ିକାଲ ସରଞ୍ଜାମ ରୋଗୀ ପାଖରେ ପହଞ୍ଚି ପାରୁନାହିଁ । ମେଡ଼ିକାଲର ଲିଫ୍ଟ ଠାରୁ ବିଭିନ୍ନ ମୌଳିକ ସମସ୍ୟା ଲାଗି ରହୁଥିବାରୁ ରୋଗୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
କେବଳ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି ତାହା ନୁହେଁ ତା ସହ ମେଡ଼ିକାଲ କଲେଜର ଡିନ ଓ ଡାକ୍ତର ଖାନାର ଅଧିକ୍ଷକ ପଦ ମଧ୍ୟ କାମଚଳାରେ ଚାଲିଛି । ଦୀର୍ଘଦୀନ ଧରି ନୂଆ ନିଯୁକ୍ତି ନେଇ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । କର୍ମଚାରୀ ଅଭାବରୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି । ତେଣୁ ସମସ୍ୟା ଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି ।