ବର୍ଷାରେ ବେହାଲ ସମ୍ବଲପୁର: ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ

ବର୍ଷାରେ ବେହାଲ ସମ୍ବଲପୁର । ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ଘରେ ବାହାରେ ଲହଡ଼ି ଭାଙ୍ଗୁଛି ଡ୍ରେନପାଣି । ଘରେ ଅପରିଷ୍କାର ପାଣି ପଶି ହନ୍ତସନ୍ତ ଲୋକେ । ଲଗାଣ ବର୍ଷା ଯୋଗୁଁ ଉଛୁଳିଛି ନାଳ ନର୍ଦ୍ଦମା । ଫଳରେ ଡ୍ରେନ ପାଣି ସିଧା ଘର ଭିତରକୁ ପଶିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଲାଗି ରହିଥିବାବେଳେ ଘରୁ ବାହାରିବା ମୁସ୍କିଲ ହେଉଛି । ବିଶେଷ କରି ସମ୍ବଲପୁରର ବୁଢ଼ାରାଜା, ପ୍ରଧାନପଡା, ଫାଟକ, ଜଗନ୍ନାଥ କଲୋନୀ, ସାକ୍ଷୀପଡା ଭଳି ସ୍ଥାନ ମାନଙ୍କରେ ଏବେ ଡ୍ରେନ ପାଣି ପଶି ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି ଲୋକେ ।
ପ୍ରବଳ ବର୍ଷାରେ କେବଳ ଘରେ ପାଣି ପଶିଛି ତାହା ନୁହେଁ ସହରର ବିଭିନ୍ନ ରେଳୱେ ଅଣ୍ଡର ପାସ ମାନଙ୍କରେ ଜମିଛି ପାଣି । ଫଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ । ବର୍ଷା ଆଗରୁ ଡ୍ରେନ ସଫେଇ ସହ ସଠିକ ପ୍ଲାନିଂ କରାଯାଇ ନଥିବାରୁ ଏପରି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି ।