ଭାରି ଜଟିଳ ଚାଷୀ ପଞ୍ଜିକରଣ: ଅନ୍ନଦାତା ଅଣନିଃଶ୍ଵାସୀ, ସ୍ଵତନ୍ତ୍ର ନୀତି ଆଣିବାକୁ ବିଜେଡିର ଦାବି

1 min read

ନନ୍ଦିଘୋଷ ବ୍ୟୁରୋ: ଖରିଫ ଧାନ ବିକିବାକୁ ପଞ୍ଜିକରଣ କରିବା ନିହାତି ଦରକାର । କିନ୍ତୁ ଏହି ପ୍ରକ୍ରିୟାକୁ ସରକାର ଏତେ ଜଟିଳ କରିଛନ୍ତି ଯେ, ଚାଷୀ ହେଲେଣି ନାକେଦମ୍ । ଏପରିକି କେତେକ ଚାଷୀ ହତାଶ ହୋଇଗଲେଣି । ଅନ୍ନଦାତାଙ୍କୁ ଏତେ ହଇରାଣ ନକରି ସ୍ଵତନ୍ତ୍ର ନୀତି ଆଣିବାକୁ ଦାବି କରିଛି ବିଜେଡି । ଚାଷୀଙ୍କ ଦୁଃଖ ଏତିକିରେ ସରିନି, ସାର ବି ମିଳୁନି । ବ୍ଲାକ ମାର୍କେଟିଂ ଚାଲିଛି । ବିଜେଡି ପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି । ଆସନ୍ତା ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବାକୁ ବିରୋଧୀ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ଚାଷୀ ପଞ୍ଜିକରଣ ଜଟିଳତାକୁ ନେଇ ଅସନ୍ତୋଷ ପ୍ରବଳ ହେବାରେ ଲାଗିଛି । ପ୍ରତିବର୍ଷ ଚାଷୀଙ୍କୁ ହନ୍ତସନ୍ତ ନକରି ପଞ୍ଜିକରଣର ସ୍ଵତନ୍ତ୍ର ପଲିସି ଆଣିବାକୁ ଦାବି କରିଛି ବିଜେଡି । ସେହିପରି MSPକୁ ଆଇନରେ ପରିଣତ କରି ସ୍ବାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଦଳ । ଚାଷୀ ପଞ୍ଜିକରଣ ସମସ୍ୟା ସାଙ୍ଗକୁ ପୁଣି ସାରର କଳା ବଜାରୀ । ଲୁଚା ଛପାରେ ଚଢ଼ା ଦରରେ ବିକ୍ରି ହେଉଛି । ଆଗାମୀ ବିଧାନସଭା ଅଧିବେଶନରେ ଚାଷୀଙ୍କ ଏହି ସବୁ ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ବିଜେଡି କହିଛି । ବିଜେପି ସରକାରର କାର୍ଯ୍ୟକାଳର ଚାଷୀକୂଳ ହନ୍ତସନ୍ତ ହେବା ସହ କ୍ଷୁବ୍ଧ ଅଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀଙ୍କୁ ସାର ନ ମିଳିବା ଦୁର୍ଭାଗ୍ୟଜନକ । ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ପଞ୍ଜିକରଣ ନେଇ ସେ କହିଛନ୍ତି, ଏବେ ବି ୭୦ ପ୍ରତିଶତ ଚାଷୀ ପଞ୍ଜୀକରଣ କରିପାରିନାହାନ୍ତି । ଯେମିତି ସବୁ ଚାଷୀ ପଞ୍ଜୀକରଣ କରିପାରିବେ, ସେଥିପାଇଁ ସରକାର ବ୍ୟବସ୍ଥା କରନ୍ତୁ । ଏହାର ଜବାବରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଏବେ ସୁଦ୍ଧା ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ୧୭ ଲକ୍ଷରେ ପହଞ୍ଚିଲାଣି । ୨୫ ତାରିଖ ଯାଏଁ ପଞ୍ଜିକରଣ ସମୟ ଥିବାରୁ ଏହା ୨୦ ଲକ୍ଷରେ ପହଂଚିବ । ପ୍ରକ୍ରିୟା ସରଳ ହୋଇଥିବାରୁ ଚାଷୀଙ୍କ ଆଗ୍ରହଣ ବଢୁଛି ।

ଧାନ ପଞ୍ଜିକରଣ ସରଳ କରାଯାଇଥିବା ସରକାର ଯୁକ୍ତି କରୁଥିବା ବେଳେ ଗ୍ରାଉଣ୍ଡରେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ l ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟ ବିରୋଧୀ ବିଜେଡି ସରକାରଙ୍କୁ ବାରମ୍ୱାର ଚେତାଇ ଦେଉଛି । ଆଗକୁ ସରକାର ଯଦି ଚାଷୀ ସମସ୍ୟା ଦୂର ନ କରନ୍ତି, ବିଜେଡି ଜୋରଦାର ପ୍ରତିବାଦ କରିବାକୁ ଚେତାବନୀ ଦେଇଛି ।