ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କର ପରଲୋକ

ଭୁବନେଶ୍ବର: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କର ପରଲୋକ । ୫୩ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଭୁବନେଶ୍ବରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। କିଡନୀ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ୧୦ ଟା ୫ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ୨୦୦୪ ଓ ୨୦୦୯ ରେ ଲଗାତାର ଦୁଇଥର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କରେନ୍ଦ୍ର କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଵେଲଘର ଅଞ୍ଚଳର ଗୁମା ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ କୁଟିଆ କନ୍ଧ ସମ୍ପ୍ରଦାୟର ହୋଇଥିବା ବେଳେ ଏହି ସମ୍ପ୍ରଦାୟର ପ୍ରଥମ ଗ୍ରାଜୁଏଟ୍ । ୭ଟି ଆଦିବାସୀ ଭାଷାରେ ଗବେଷଣା କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଓଡ଼ିଆ ଲିପିରେ କୁଇ ଭାଷାରେ ପିଲାଙ୍କ ରାମାୟଣ, ଆମ୍ବେଦକରଙ୍କ ଜୀବନୀ ଓ ଇତିହାସ ଏବଂ କୁଇ ଭାଷା ଅଭିଧାନ ଭଳି ତିନୋଟି ପୁସ୍ତକ ରଚନା କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ସେ ନିଜକୁ ପ୍ରତିପାଦିତ କରିଥିଲେ। କରେନ୍ଦ୍ରଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଜେପିର ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।