ଅସୀମ ମୁନିରଙ୍କୁ ଆଉ ଏକ ଗିଫ୍ଟ: ୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ଆର୍ମୀ ଚିଫ୍ ପଦରୁ କେହି ହଟାଇ ପାରିବେନି

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀଙ୍କ ଆକ୍କା ତଥା ପାକିସ୍ତାନର ଆର୍ମୀ ଚିଫ୍ ଜେନେରାଲ ଅସୀମ ମୁନିରଙ୍କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଳିଛି ଆଉ ଏକ ବଡ଼ ଗିଫ୍ଟ । ୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ସେନା ମୁଖ୍ୟ ପଦରେ ରହିବେ ମୁନିର । ନିକଟରେ ଭାରତ ସହ ହୋଇଥିବା ସଂଘର୍ଷ ପରେ ସରକାର ତାଙ୍କୁ ପଦୋନ୍ନତି ଦେଇ ଫିଲ୍ଡ ମାର୍ସଲ ବନାଇଥିଲା । ଏହି କ୍ରମରେ ଏକଛତ୍ରବାଦୀ ଅୟୁବ ଖାନଙ୍କ ପରେ ପାକିସ୍ତାନର ଦ୍ବିତୀୟ ଫିଲ୍ଡ ମାର୍ଶଲ ହୋଇଛନ୍ତି । ଏବେ ତାଙ୍କ ଆର୍ମୀ ଚିଫ୍ ପଦ ବି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇଯାଇଛି । ଅର୍ଥାତ ୨୦୨୭ ନଭେମ୍ବର ୨୯ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରୁ କେହି ହଟାଇ ପାରିବେନି । ଏହାସହ ସରକାର ସ୍ପଷ୍ଟ କରିଦେଇଛନ୍ତି ଏବେ ସେନା ମୁଖ୍ୟ (ସ୍ଥଳ, ଜଳ ଓ ଆକାଶ)ଙ୍କ କାର୍ଯ୍ୟକାଳ ତିନି ବର୍ଷ ବଦଳରେ ୫ ବର୍ଷ ରହିବ । ଥରେ ଜଣେ ଏହି ସବୁ ପଦବୀରେ ଅବସ୍ଥାପିତ ହେଲେ ୫ ବର୍ଷ ପର୍ଯ୍ୟନ୍ତ ଉକ୍ତ ପଦବୀରେ ରହିବେ ।

ମିଳିଥିବା ସୂଚନା ଅନୁସାରେ, ଏହି ମାମଲା ପୂର୍ବରୁ ଆଇନ ଜରିଆରେ ସ୍ପଷ୍ଟ ହୋଇ ସାରିଛି ଓ କୌଣସି ନୂଆ ପଦକ୍ଷେପ କି ପରିବର୍ତ୍ତନର ଆବଶ୍ୟକତା ନାହିଁ । ୨୦୨୪ ନଭେମ୍ବର ୪ରେ ସଂସଦରେ ଏହା ପାରିତ ହେବା ପରେ ଲାଗୁ ହୋଇଛି । ନେଜେରାଲ (ଫିଲ୍ଡ ମାର୍ଶଲ) ଅସୀମ ମୁନିର ୨୦୨୨ ନଭେମ୍ବର ୨୯ ତାରିଖରେ ଆର୍ମୀ ଚିଫ୍ ଭାବେ ନିଯୁକ୍ତି ମିଳିଥିଲା । ଏହି ଆଇନ ମୁତାବକ ତାଙ୍କ କାର୍ଯ୍ୟକାଳ ୨୦୨୭ ନଭେମ୍ବର ୨୯ ତାରିଖରେ ପର୍ଯ୍ୟନ୍ତ ରହିବ । ତେବେ ଏମିତି ବି ଚର୍ଚ୍ଚା ହେଉଛି ଯେ, ସେ ଚଳିତବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି । ହେଲେ ଏହା କେବଳ ଏକ ଗୁଜବ ବୋଲି ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ।