ବନ୍ୟା ବଢ଼ାଇଛି ଦୁର୍ଦ୍ଦଶା: ଯାଜପୁର, ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ

1 min read

ନନ୍ଦିଘୋଷ ବ୍ୟୁରୋ: ବୈତରଣୀରୁ ବିପଦ ଟଳିଲାଣି । ହେଲେ ସୁବର୍ଣ୍ଣରେଖା ଯୋଗୁଁ ଏବେ ବି ବାଲେଶ୍ବର ବନ୍ୟା ଘେରରେ ରହିଛି । ଜାମସୋଲା ଘାଟରେ ଆଉ ବର୍ଷା ହେଉ ନଥିବାରୁ, ସୁବର୍ଣ୍ଣରେଖାର ସ୍ଥିତିରେ ସୁଧାର ଆସୁଛି । ଆସନ୍ତାକାଲି ସୁଦ୍ଧା ସ୍ବାଭାବିକ ସ୍ଥିତି ଫେରିବା ନେଇ ସରକାର ଆଶା ରଖିଛନ୍ତି । ଯାଜପୁର, ବାଲେଶ୍ବର ଓ ଭଦ୍ରକ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି । ତେବେ କାଣୀ ନଦୀରେ ଘାଇ ଯୋଗୁଁ ଯାଜପୁର ଜିଲ୍ଲାରେ ହୋଇଛି ସର୍ବାଧିକ କ୍ଷତି ।

ଯାଜପୁର, ଭଦ୍ରକ ଓ ବାଲେଶ୍ବର । ଚଳିତବର୍ଷ ଏକାଧିକ ବନ୍ୟା ଯୋଗୁଁ ଏହି ତିନି ଜିଲ୍ଲାରେ କ୍ଷୟକ୍ଷତି ବଢିବାରେ ଲାଗିଛି । ହେଲେ ଜାମସୋଲା ଘାଟରେ ଆଉ ବର୍ଷା ହୋଇନି । ଯେଉଁଥି ପାଇଁ ରାଜଘାଟରେ ସୁବର୍ଣ୍ଣରେଖା ଖସୁଛି । ଆଜି ଏହା ବିପଦ ସଂକେତ ତଳକୁ ଯାଇ ଆସନ୍ତାକାଲି ଭୋର ସମୟରେ ସତର୍କ ସଂକେତ ତଳକୁ ଆସିଯିବ । ସେପଟେ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳକୁ ଆସିଛି । ବଂଶଧରା, ନାଗାବଳି ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି । ହେଲେ ଅନ୍ୟ କୌଣସି ବେସିନରେ ବର୍ଷା ହୋଇନି ।

ତେବେ କାଣୀ ନଦୀର କରାଳ ରୂପ ଯୋଗୁଁ ଯାଜପୁର ଜିଲ୍ଲା ଦଶରଥପୁରରେ ବନ୍ୟା ସ୍ଥିତି ସଂଗୀନ ରହିଛି ।  ଗତକାଲି ସୃଷ୍ଟି ହୋଇଥିବା ଘାଇ ଧୀରେ ଧୀରେ ଅତଡ଼ା ଖାଇ ପ୍ରାୟ ୧୫୦ ଫୁଟରେ ପହଁଚିଲାଣି | ବନ୍ୟାଜଳରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପାଣି କମିଲେ ଆସନ୍ତାକାଲିଠାରୁ ମରାମତି କାମ ଆରମ୍ଭ ହେବ । ଅନ୍ୟପଟେ ସବୁଠୁ ଅଧିକା କ୍ଷେତିଗ୍ରସ୍ତ ହୋଇଛି ଚାଷ | ମଲ୍ଲିକାପୁର, କସପା, ଦୁଦୁରାହନ୍ତା, ନିଜାମପୁର ସମେତ ପ୍ରାୟ ୧୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରି ଧାନଚାଷ ସମ୍ପୂର୍ଣ୍ଣ କ୍ଷେତିଗ୍ରସ୍ତ ହୋଇଛି । ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦାବାଲି ବ୍ଲକର ୮ ପଞ୍ଚାୟତରେ ଦେଖା ଦେଇଛି ବନ୍ୟା ବିତ୍ପାତ । ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଲଡା ପଞ୍ଚାୟତରେ ବନ୍ୟା ପାଣି କମିବାରେ ଲାଗିଛି । ହେଲେ ଧାମନଗର ବ୍ଲକର ପ୍ରଧାନୀ ପଞ୍ଚାୟତର ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ହସନବାଦ ଓ ଅର୍ଜୁନପୁର ପଞ୍ଚାୟତ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଧୂଷୁରୀ-ଅର୍ଜୁନପୁର ରାସ୍ତାର ବିଭିନ୍ନ ସ୍ଥାନରେ ୪ ଫୁଟ ପାଣି ଲହଡ଼ି ମାରୁଛି । ଏହି ଦୁଇ ପଂଚାୟତର ୮ଟି ଗାଁରେ ବନ୍ୟାଜଳ ପଶିବା ସହିତ ଲୋକଙ୍କ ଘରେ ପାଣି ପଶିଛି । ସେହିପରି ଚାନ୍ଦାବାଲି ଆରଡ଼ି, ଓଲଗ, ସୁନ୍ଦରପୁର, ନାନ୍ଦପୁର ଚାରି ପଂଚାୟତର ୨୪ ଟି ଗାଁ ସଂପୂର୍ଣ୍ଣ ଜଳମଗ୍ନ ରହିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକର ୧୮ଟି ପଞ୍ଚାୟତ ୪୦ରୁ ଅଧିକ ଗାଁ ଓ ବାଲିଆପାଳ ବ୍ଳକର ୬ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ଜଳବନ୍ଦୀ ଅଛନ୍ତି ।

ଆଜି ଯାଜପୁର ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ, ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଓ ଓସଡମା କର୍ତ୍ତୃପକ୍ଷ । ଯାଜପୁର ଜିଲ୍ଲାରେ ୫ ହଜାର ଲୋକ ରିଲିଫ ସେଣ୍ଟରରେ ଅଛନ୍ତି । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ହୀରାକୁଦର ୪ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଗକୁ ଆସୁଥିବା ଲଘୁଚାପର ଗତିବିଧି ବାରମ୍ବାର ବଦଳୁଥିବାରୁ ପ୍ରଶାସିନକ ଚିନ୍ତା ବଢିଛି ।