ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ୨ ଦିନିଆ SC/ST ସମ୍ମିଳନୀ

ଆସନ୍ତାକାଲି ଠାରୁ ଓଡ଼ିଶାରେ ଆୟୋଜିତ ହେବ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଅଗଷ୍ଟ ୨୯ ଏବଂ ୩୦ ରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, 5 ଜଣ ସଦସ୍ୟ ଏବଂ 4 ଜଣ ବିଧାୟକ ଯୋଗଦେବେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର 30 ଜଣ ସଦସ୍ୟ ଯୋଗଦେବେ। ଏହାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଉଦଘାଟନ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ। ଏଥିରୁ ସାରା ଦେଶରୁ 395 ଜଣ ପ୍ରତିନିଧି ଯୋଗ ଦେବେ।
ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ଯାହା ସମ୍ପର୍କରେ ଆଲୋଚନା ହେବ। ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଉଦବୋଧନ ଦେବେ। ଏ ନେଇ ଆଜି ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଆୟୋଜିତ ହେବ। ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପକୁ ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ। 31 ବର୍ଷ ପରେ ଏହା ଓଡ଼ିଶାରେ ଆୟୋଜନ କରାଯାଉଛି। ଓଡ଼ିଶାର ହସ୍ତଶିଳ୍ପ, କାରିଗରୀ, ସଂସ୍କୃତି ଓ କଳାକୁ ନେଇ ଏକ ପ୍ରଦର୍ଶନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉଦଯାପନୀ ପରେ ପ୍ରତିନିଧିମାନଙ୍କୁ କୋଣାର୍କ ସହ ଶ୍ରୀଜଗନ୍ନାଥ ଦର୍ଶନ କରାଯିବ।