ଅସୁରକ୍ଷିତ ଅବସ୍ଥାରେ କେନ୍ଦ୍ରାପଡାର ସିଦ୍ଧ ବଳଦେବଜୀଉ ମନ୍ଦିର

ଅସୁରକ୍ଷିତ ଅବସ୍ଥାରେ କେନ୍ଦ୍ରାପଡାର ସିଦ୍ଧ ବଳଦେବଜୀଉ ମନ୍ଦିର । ଜଗମୋହନରେ ସୃଷ୍ଟି ହୋଇଛି ଫାଟ । ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ । ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ନିର୍ମାଣ ହୋଇଥିଲା ବଳଦେବଜୀଉ ମନ୍ଦିର । ହେଲେ ମନ୍ଦିରର ରକ୍ଷଣାବେକ୍ଷଣ ଅଭାବରୁ ଏବେ ତାହା ଅସୁରକ୍ଷିତ ହୋଇପଡିଛି । ଜଗମୋହନର ଚାରୋଟି ଖମ୍ବ ମଧ୍ଯରୁ ବାମ ପଟ ଖମ୍ବରେ ଫାଟ ସୃଷ୍ଟି ହେବା ସହ ପିଲାର ଦୁର୍ବଳ ହୋଇଗଲାଣି । ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଟାଇଲ ଖସିଗଲାଣି । ଅନ୍ୟପଟରେ ଝୁଲଣ ମଣ୍ଡପରୁ ଖୋଳପା ଛାଡ଼ିବା ସହ ସିଡ଼ି ବିପଦପୂର୍ଣ୍ଣ ଭାବରେ ରହିଛି । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ମନ୍ଦିର ଅବସ୍ଥା ସଂପର୍କରେ ମନ୍ଦିର ପ୍ରଶାସନ ରାଜ୍ୟ ପ୍ରତ୍ନତାତ୍ତ୍ଵିକ ବିଭାଗ ସହ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ମନ୍ଦିର ଉନ୍ନତିକରଣ କାମ ଆରମ୍ଭ ହେଲେ ସେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଫୋନ ଯୋଗେ କହିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ ହୋଇନାହିଁ । ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ସହ ଜଡିତ ଥିବା ପ୍ରଭୁ ସିଦ୍ଧବଳଦେବ ଜୀଉଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।