ଦୁଲୁକୁଛି ପଶ୍ଚିମ ଓଡ଼ିଶା: ନୂଆଁ ଖାଇବା ସହ ଭେଟଘାଟ, ନାଚଗୀତର ଆସର
1 min read
ଦୁଲୁକୁଛି ପଶ୍ଚିମ ଓଡ଼ିଶା । ସବୁଠି ନୂଆଁଖାଇର ଆସର । ନୂଆଁ ଖାଇବା ସହ ଭେଟଘାଟ, ନାଚଗୀତର ଆସର । କୃଷି ଓ କୃଷକର ଏହି ଗଣ ପର୍ବ ପାଇଁ ଉତ୍ସବମୁଖ ହୋଇଛି ସହରରୁ ଗାଁ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବା ସହ ଭଲ ଅମଳ ପାଇଁ ଆଶିଷ ଭିକ୍ଷା କରିଛନ୍ତି । ପରମ୍ପରା ଅନୁସାରେ ସମ୍ବଲପୁରର ଈଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ପୀଠ ଭୋର ୪ଟାରୁ ଖୋଲିଥିଲା । ମାଆଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ ପରେ ନିର୍ଦ୍ଧାରିତ ସମୟରେ ଲାଗି ହୋଇଥିଲା ନବାନ୍ନ । ସମସ୍ତ ପାର୍ଶ୍ବଦେବୀଙ୍କୁ ନବାନ୍ନ ଲାଗି ପରେ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିଥିଲେ । ଏହାପରେ ଘରେ ଘରେ ପାଳିତ ହୋଇଛି ନୂଆଁଖାଇ ପର୍ବ ।
ନୂଆଁଖାଇ ସାରିବା ପରେ ଗ୍ରାମ ଦେବୀ ଓ ଇଷ୍ଟଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ବଲାଙ୍ଗୀରବାସୀ । ସମଲେଇଶ୍ବରୀ ଓ ପାଟଣେଶ୍ୱରୀଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ରାଜ ପରିବାର ପକ୍ଷରୁ ନୂଆଁଖାଇ ପାଳନ ହୋଇଛି I ଏକାଠି ନୂଆଁ ଖାଇଛନ୍ତି ରାଜପରିବାର ସଦସ୍ୟ । ଢୋଲ, ନିଶାନ୍, ତାସା ପଞ୍ଚବାଦ୍ୟରେ କମ୍ପୁଛି ସାରା ପଶ୍ଚିମ ଓଡ଼ିଶା । କଟକରେ ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ କଳା ପରିଷଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଛକ ସାରଳା ଭବନରେ ନୂଆ ଖାଇ ଭେଟଘାଟ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନୂଆଖାଇ ଅବସରରେ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ।