ଦିନକୁ ଦିନ ଜୋର ଧରୁଛି ମରାଠା କୋଟା ଆନ୍ଦୋଳନ , ପାଞ୍ଚଦିନ ଧରି ଚାଲିଛି ଆନ୍ଦୋଳନକାରୀଙ୍କ ମେଳି

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ଜୋର ଧରୁଛି ମରାଠା କୋଟା ଆନ୍ଦୋଳନ। ଆଜାଦ ମଇଦାନରେ ପାଞ୍ଚଦିନ ଧରି ଚାଲିଛି ଆନ୍ଦୋଳନକାରୀଙ୍କ ମେଳି। ତେଣେ ସଂରକ୍ଷଣବାଦୀ ନେତା ମନୋଜ ଜାରେଙ୍ଗେ ଜନତା ମଇଦାନ ଖାଲି କରିବାକୁ ଅଗ୍ରାହ୍ୟ କରିଛନ୍ତି। ଦାବି ପୂରଣ ହେବା ଯାଏ ଆମରଣ ଅନଶନ ଜାରି ରହିବ ବୋଲି ଜାରେଙ୍ଗେ ଧମକ ଦେଇଛନ୍ତି। ଏପରିକି ସେ ପାଣି ଗ୍ରହଣ କରିବେ ନାହିଁ କହିବା ପରେ ସରକାର ଅଡୁଆରେ ପଡିଛନ୍ତି। ବର୍ତ୍ତମାନ ଆଜାଦ ମଇଦାନରେ ପ୍ରାୟ ୪୫ ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଫଳରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ହୋଇଛି। ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ମହାରାଷ୍ଟ୍ର କ୍ୟାବିନେଟ ସବକମିଟି ଉଦ୍ୟମ କରିଥିବାବେଳେ ତାହା ବିଫଳ ହୋଇଛି। ଦକ୍ଷିଣ ମୁମ୍ବାଇ, ମାରିନ ଡ୍ରାଇଭ, ଡିଏନ ରୋଡ ଓ ପିଡି ମେଲୋ ରୋଡରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ହୋଇଛି। ଯଦିଓ ଟ୍ରେନ ସେବା ଜାରି ରହିଛି ତଥାପି ବିଭିନ୍ନ ସ୍ଥାନରେ ଆରପିଏଫ ଓ ଜିଆରପି ମୁତୟନ କରାଯାଇଛି। ଆନ୍ଦୋଳନକାରୀଙ୍କ ବିରୋଧରେ ଦାୟର ମାମଲା ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତି ଜାରେଙ୍ଗେ। ହାଇଦ୍ରାବାଦ ଓ ସତାରା ଗେଜେଟ କାର୍ଯ୍ୟକାରୀ, ମରାଠା ଓ କୁନବିଙ୍କୁ ଗୋଟିଏ ଶ୍ରେଣୀଭୁକ୍ତ କରିବା, ଆକ୍ରମଣକାରୀ ପୋଲିସଙ୍କୁ ବଦଳି ଆଦି ଦାବି କରିଛନ୍ତି ଆନ୍ଦୋଳନକାରୀ। ମନୋଜ କହିଛନ୍ତି, ତାଙ୍କ ଦାବି ସମ୍ଵିଧାନ ଅନୁସାରେ ଠିକ୍। ମରାଠାମାନଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦାବି କରୁଛନ୍ତି ମନୋଜ। ଓବିସି ବର୍ଗ ଭାବେ କୁନବି ଜାତିତୁ ମାନ୍ଯତା ଦିଆଯାଉ। ଏହା ଦ୍ଵାରା ସେମାନେ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇବେ।