ରାଜରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ବର୍ଷାରେ ଭିଜି ଛାତ୍ରଛାତ୍ରୀ କଲେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ : ରାଜରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ବର୍ଷାରେ ଭିଜି ଛାତ୍ରଛାତ୍ରୀ କଲେ ବିକ୍ଷୋଭ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା – ବାଲେଶ୍ୱର ରାଜ୍ୟ ରାଜପଥର ଯଇଦା ଛକରେ । ପୁରଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ୧୩୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ହେଲେ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମିଶି ଗୋଟିଏ କକ୍ଷରେ ବସି ପାଠ ପଢ଼ିବାରୁ ଅନେକ ସମସ୍ୟା ସୃଷ୍ଟି ହୁଏ । ଏହା ସହିତ ବିଦ୍ୟାଳୟରେ ଶୌଚାଳୟ ନାହିଁ, ପାଚେରୀ ନାହିଁ ତା ସହିତ ଦୁଇ ଗୋଟି ଶ୍ରେଣୀ ଗୃହ ଛାତରୁ କଂକ୍ରିଟ ଖସୁଛି । ଯେଉଁଥିପାଇଁ ଅଭିଭାବକ ମାନେ ବାରମ୍ବାର ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ବାଧ୍ଯ ହୋଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ । ତୁରନ୍ତ ଅଧିକାରୀ ଆସି ସମାଧାନ ନକଲେ ଏଭଳି ବିଭୋକ୍ଷ ଚାଲିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।