ଟିଇଟିକୁ ନେଇ ବଢିଲା ଟେନସନ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଶିକ୍ଷକଙ୍କ ମଧ୍ୟରେ ଭାଳେଣି
1 min read
ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ନେଇ ଶିକ୍ଷକଙ୍କ ଭିତରେ ବଢିଲା ଦ୍ବନ୍ଦ୍ବ । ଯେଉଁଥିପାଇଁ ଟେନସନରେ ରାଜ୍ୟ ସରକାର । ଶିକ୍ଷକ ନିଯୁକ୍ତି ପାଇଁ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଟିଇଟିକୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି । କୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବା ପାଇଁ ଆଶାୟୀ, ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ । ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ । ଯାହାକୁ ନେଇ ବିବାଦ ଉପୁଜିଲାଣି । ଶିକ୍ଷକ ସମାଜ ଏହା ବିରୋଧରେ ସ୍ବର ଉତ୍ତୋଳନ କରୁଥିବାରୁ ବାଧ୍ୟ ହୋଇ ସରକାର ତର୍ଜମା କରିବାକୁ ଅଣ୍ଟା ଭିଡ଼ିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି ବାଧ୍ୟତାମୂଳକ, ନ ହେଲେ ନା ମିଳିବ ନିଯୁକ୍ତି କି ପଦୋନ୍ନତି । ୨୪ ଘଣ୍ଟା ନ ପୂରୁଣୁ ଏହାକୁ ନେଇ ବିବାଦ ଓ ବିରୋଧ ମୁଣ୍ଡ ଟେକିଲାଣି । କାରଣ ଶିକ୍ଷା ଅଧିକାର ଆଇନ-୨୦୦୯ ପ୍ରଚଳନ ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ଏବଂ ଯେଉଁମାନଙ୍କ ଚାକିରିରୁ ଅବସର ଗ୍ରହଣ କରିବାର ସୀମା ୫ ବର୍ଷରୁ ଅଧିକ ରହିଛି ସେମାନଙ୍କୁ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ୨ ବର୍ଷର ସମୟ ସୀମା ଦିଆଯାଇଛି । ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେ ନାହିଁ ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ । ତେବେ ଏହି ସମାନ ସମୟରେ କୋର୍ଟ କହିଛନ୍ତି ଯେ, ସଂଖ୍ୟାଲଘୁ ବିଦ୍ୟାଳୟରେ ଆରଟିଆଇ ଆଇନ ଲାଗୁ ସଂକ୍ରାନ୍ତରେ ବୃହତ୍ତର ଖଣ୍ଡପୀଠ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏହି ନିୟମ ସେସବୁ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବନାହିଁ ।
ସେପଟେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଖପ୍ପା ରାଜ୍ୟର ବିଭିନ୍ନ ଶିକ୍ଷକ ସଙ୍ଘ । ଦୁଇ ବର୍ଷ ଭିତରେ OTET ପାସ ନ କଲେ ଶିକ୍ଷକଙ୍କୁ ଯେଉଁ ଅବସର ପାଇଁ ନିଷ୍ପତ୍ତି ଆସିଛି, ତାହା ସାରା ଦେଶର ଶିକ୍ଷକଙ୍କୁ ହତାଶ କରିଛି । ୨୦୧୧ ଜୁଲାଇ ଯାଏଁ OTET ନଥିଲା । ହେଲେ ୨୦୧୨ ପରେ ଶିକ୍ଷକ OTET ଦେଇ ଆସିଛନ୍ତି । ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ଶୁଣାଇଛନ୍ତି ଯେ ସମସ୍ତଙ୍କୁ OTET ଦେବାକୁ ପଡ଼ିବ, ତାହା ଠିକ ନୁହେଁ । ଆସନ୍ତା ୧୦ ତାରିଖରେ ଶିକ୍ଷକଙ୍କ ପଦୋନ୍ନତି ପାଇଁ OTET ନେଇ ଓଡ଼ିଶା ସରକାରଙ୍କ ହାଇକୋର୍ଟରେ ଶୁଣାଣି ଅଛି । ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ଯଦି ରାଜ୍ୟ ସରକାର ମାନିବେ, ତେବେ ଶିକ୍ଷକଙ୍କ ମୂଳ ବେତନ ୪୨୦୦ ପ୍ରଦାନ କରନ୍ତୁ ବୋଲି ଶିକ୍ଷକ ସଂଘ ଦାବି କରିଛନ୍ତି ।
ଛତିଶଗଡ଼ ସରକାର ଏହି ନିଷ୍ପତ୍ତି ବିରୋଧରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଶିକ୍ଷକ ଆନ୍ଦୋଳନ ମୁଣ୍ଡ ଟେକୁଥିବାରୁ, ଓଡ଼ିଶା ସରକାରଙ୍କ ଦ୍ବନ୍ଦ୍ବ ବଢିଯାଇଛି । ଅନ୍ୟ ରାଜ୍ୟ କ’ଣ ବିଚାର ବିମର୍ଶ କରୁଛନ୍ତି, ତର୍ଜମା କରିବାକୁ ସମୟ ମାଗିଛନ୍ତି ରାଜ୍ୟ ସରକାର । ସୁପ୍ରିମକୋର୍ଟ ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯେଉଁମାନଙ୍କର ଚାକିରି ୫ ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ନୁହେଁ ।