ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି: ଫୁଲୁଛନ୍ତି ବୈତରଣୀ, ସାଳନ୍ଦୀ, ରେବ, କପାଳି ନଦୀ
1 min read
ନନ୍ଦିଘୋଷ ବ୍ୟୁରୋ: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା । ବଢୁଛି ବିଭିନ୍ନ ନଦୀର ଜଳସ୍ତର । ଉପରମୁଣ୍ଡରେ ଜୋର୍ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଛି । ହୀରାକୁଦର ୨୪ଟି ଗେଟ୍ ଖୋଲିବାରୁ ଗୁଣ୍ଡେରପୁର ବ୍ରିଜ ଉପରେ ପାଣି । ସମ୍ବଲପୁର-ସୁବର୍ଣ୍ଣପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଉତ୍ତର ଓଡ଼ିଶାରେ ବୈତରଣୀ, ସାଳନ୍ଦୀ, ଜଳକା ଫୁଲୁଛନ୍ତି । ତେଣୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିଛି ପାଣିରେ ।
ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି । ବୈତରଣୀ, ସାଳନ୍ଦୀ, ରେବ, କପାଳି ପରି ନଦୀ ଫୁଲୁଛନ୍ତି । ଲଘୁଚାପ ବର୍ଷା ଯୋଗୁଁ ଏହି ସବୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବୈତରଣୀ ଓ ସାଳନ୍ଦୀର ପାଣି ନିଷ୍କାସନ ହୋଇପାରୁନି । ଏହାଦ୍ଵାରା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁରରେ ଦେଖାଦେଇଛି ବନ୍ୟା ସ୍ଥିତି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖାନଦୀ ରେବ ଓ କପାଳୀ ଉଛୁଳିବାରୁ ଧାମନଗର ବ୍ଲକର ଦୋବଲ, ଖଡିପଦା, କର୍ପଦା, ପଧାନୀ, ସୋହଡା, ଅର୍ଜୁନପୁର, ହସନାବାଦ, ନଦୀ ଗାଁ ଆଦି ୮ ପଞ୍ଚାୟତ ହୋଇଛି ଜଳବନ୍ଦୀ । ସେହିପରି ତିହିଡ଼ି ବ୍ଲକର ବୋଡକ, କାଶିପୁର, ବିଲଣା, ବାରସର ଆଦି ୫ ପଞ୍ଚାୟତରେ ବନ୍ୟା ପାଣି ପ୍ରବାହିତ ହେଉଛି । ବୈତରଣୀରେ ଏହା ହେଉଛି ତୃତୀୟ ବନ୍ୟା । ହଜାର ହଜାର ହେକ୍ଟର ଚାଷଜମିରେ ମାଡ଼ି ଯାଇଛି ବନ୍ୟାପାଣି । ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥର ବୋଡକରେ ଚାଲିଛି ୨ଫୁଟ ପାଣି ।
ସେହିପରି ଜଳକା ନଦୀର ଜଳସ୍ତର ମଧ୍ୟ ବଢୁଛି । ତେଣୁ ଏହି ନଦୀରେ ଚତୁର୍ଥ ଥର ବନ୍ୟା ଆଶଙ୍କା ଦେଖା ଦେଇଛି । ୪ ଦିନ ଧରି ବସ୍ତା ଅଞ୍ଚଳ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ଵର ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ଅଛି । ଏହାକୁ ନେଇ ଚିନ୍ତାରେ ଚାଷୀ । ବସ୍ତାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ବିଜେଡି ବିଧାୟିକା ସୁବାସିନୀ ଜେନା । ବିପନ୍ନଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ରାଜ୍ୟର ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ବର୍ତ୍ତମାନ ଜଳକାରେ ବନ୍ୟା ସ୍ଥିତି ନାହିଁ । ତେବେ ବୈତରଣୀ ଯୋଗୁଁ ବାଲେଶ୍ୱର ବସ୍ତା ଅଂଚଳ ପ୍ରଭାବିତ ହେବ । ଜିଲ୍ଲା ପ୍ରଶାସନକୁ ଏ ନେଇ ସଜାଗ କରାଯାଇଛି । ବୈତରଣୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି । ଗତକାଲି ୧୫ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ପଦ୍ମପୁରରେ ସର୍ବାଧିକ ୮୮ ମିଲିମିଟର ବର୍ଷା ହୋଇଛି । ମହାନଦୀରେ ଏବେ ବନ୍ୟା ସ୍ଥିତି ନାହିଁ । ସେପଟେ ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଗୁଣ୍ଡେରପୁରରେ ରାସ୍ତା ଉପରେ ଚାଲିଛି ମହାନଦୀ ପାଣି । ସମ୍ବଲପୁର-ସୁବର୍ଣ୍ଣପୁର ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ସମ୍ବଲପୁର ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ନର୍ଦ୍ଦମା ପାଣି ନିଷ୍କାସିତ ହୋଇପାରୁନାହିଁ । ହୀରାକୁଦର ଅଧିକ ଗେଟ୍ ଖୋଲିଲେ ଲୋକଙ୍କ ଘରେ ପାଣି ପଶିବାର ଆଶଙ୍କା ଦେଖା ଦେଇଛି ।