ଓଡ଼ିଶାର ସି ଫୁଡ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ଉପରେ ଟ୍ରମ୍ପଙ୍କ ଟାରିଫର ପ୍ରଭାବ
1 min read
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ବର୍ଷକୁ ପ୍ରାୟ ୫ ହଜାର କୋଟି ଟଙ୍କାର ମେରାଇନ ପ୍ରଡକ୍ଟ ଆମେରିକାକୁ ରପ୍ତାନୀ ହେଉଛି । ଭାରତୀୟ ଦ୍ରବ୍ୟ ଉପରେ ଟ୍ରମ୍ପ ଟାରିଫ ୫୦ ପ୍ରତିଶତ ଲାଗିବା ପରେ ଚିନ୍ତାରେ ସି’ ଫୁଡ଼ ଇଣ୍ଡଷ୍ଟ୍ରି । କେବଳ କମ୍ପାନୀ ମାଲିକ ନୁହଁନ୍ତି, ଏହାଦ୍ବାରା ଚିଙ୍ଗୁଡ଼ି ଚାଷୀ, ଶ୍ରମିକ, ବରଫ କଳ, ମତ୍ସ୍ୟଜୀବୀ ସମସ୍ତେ ପ୍ରଭାବିତ ହେବେ । ଏବେ ଏହାର ବିକଳ୍ପ ଚିନ୍ତା ଚାଲିଛି । କେବଳ ସି ଫୁଡ୍ ନୁହେଁ, ହସ୍ତଶିଳ୍ପ ଓ ବୟନ ଶିଳ୍ପ କ୍ଷେତ୍ର ବି ପ୍ରଭାବିତ ହେବ । ଟ୍ରମ୍ପ ଟାରିଫରୁ ମୁକୁଳିବା ପାଇଁ ବିଶ୍ବସ୍ତରରେ ଆଲୋଚନା ଚାଲିଥିବା ବେଳେ, ତିନି ପ୍ରମୁଖ ଶକ୍ତି ଭାରତ, ଚୀନ ଓ ଋଷ ଏକାଠି ହେବା ଏକ ଶୁଭ ସଙ୍କେତ ଦେଉଛି ।
ଆମେରିକା ଓ ଭାରତର ବ୍ୟବସାୟିକ ସମ୍ପର୍କ ଖୁବ୍ ପୁରୁଣା । ଏବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଭୟଙ୍କର ଭାବେ ହେଲାଣି ପ୍ରଭାବିତ । ଓଡ଼ିଶା ମଧ୍ୟ ଟାରିଫ ଓ୍ବାରର ହୋଇଛି ଶିକାର । ବିଶେଷ କରି ମେରାଇନ ପ୍ରଡକ୍ଟ ଆମେରିକାକୁ ରପ୍ତାନୀ ଏକ ପ୍ରକାର ଅସମ୍ଭବ ହେଲାଣି । ୨୦୦୪ରେ ଓଡ଼ିଶାରୁ ଆମେରିକାକୁ ୩୬୦ କୋଟି ଟଙ୍କାର ମେରାଇନ ପ୍ରଡକ୍ଟ ଯାଉଥିବା ବେଳେ, ଏବେ ଏହା ୫ ହଜାର କୋଟିରେ ପହଞ୍ଚିଛି । ତେବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ରପ୍ତାନୀ ପୂର୍ବରୁ ଏକ୍ସପୋର୍ଟର ପ୍ରଥମେ ୫୦ ପ୍ରତିଶତ ଡ୍ୟୁଟି ଦେବାକୁ ପଡ଼ିବ । ଯାହା ଓଡ଼ିଶା ଉଦ୍ୟୋଗୀଙ୍କ ପାଇଁ କଷ୍ଟକର । ଏକ୍ସପୋର୍ଟ ପ୍ରଭାବିତ ହେଲେ ଚିଙ୍ଗୁଡ଼ି ଚାଷୀ, ମତ୍ସ୍ୟଜୀବୀ, ବରଫ କଳ ମାଲିକ ଓ ଶ୍ରମିକଙ୍କ ସହ ଅନେକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଏବେ ଏହାର ବିକଳ୍ପ ଚିନ୍ତା କରାଯାଉଛି । ହେଲେ ଆମେରିକା ବ୍ୟତୀତ ୟୁରୋପୀୟ ଦେଶକୁ ରପ୍ତାନୀ କରିବା ବି ଏତେ ସହଜ ନୁହେଁ । ଭାରତରେ ଚିଙ୍ଗୁଡ଼ିର ଆଦର ବଢ଼ିଲେ ଉତ୍ପାଦିତ ଦ୍ରବ୍ୟ ବ୍ୟବହୃତ ହୋଇପାରିବ । ତେଣୁ ସେନାରେ ମେରାଇନ ପ୍ରଡକ୍ଟ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ।
ଉତ୍କଳ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଟ୍ରମ୍ପ ଟାରିଫର ପ୍ରଭାବ ଓ ବିକଳ୍ପ ନେଇ କରାଯାଇଛି ଆଲୋଚନା । ମେରାଇନ ପ୍ରଡକ୍ଟ ସହ ଓଡ଼ିଶାର ହସ୍ତଶିଳ୍ପ ବି ଟାରିଫା ମାଡ଼ର ଶିକାର ହୋଇଛି । ସେହିପରି ଇସ୍ପାତ କ୍ଷେତ୍ରର ପ୍ରଭାବ ନେଇ ଚର୍ଚ୍ଚା ହେଉଥିଲେ ବି ଏହା ନଗଣ୍ୟ । ବିକଳ୍ପ ଭାବେ ପ୍ରସେସେଡ଼ ଫୁଡ ଉତ୍ପାଦନ ଉପରେ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଛି । ଏଥିପାଇଁ କେବଳ ଧାନ ନୁହେଁ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ପନିପରିବା ଚାଷ ଜରୁରୀ । ତେବେ ଟ୍ରମ୍ପଙ୍କ ନିଷ୍ପତ୍ତି କେତେଦିନ ରହିବ, ତାକୁ ନେଇ ବି ଆଲୋଚନା ହୋଇଛି । ଅକ୍ଟୋବରରେ ପ୍ରସ୍ତାବିତ କ୍ବାଡ଼ ସମ୍ମିଳନୀରେ କିଛି ବାଟ ବାହାରିବାର ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଓ ଭାରତକୁ ନେଇ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଏଥର ଭାରତ ସମ୍ମିଳନୀ ଆୟୋଜନ କରୁଥିବାରୁ ଟ୍ରମ୍ପ-ମୋଦି ସିଧାସଳଖ କଥା ହେବାର ସମ୍ଭାବନା ରହିଛି ।
ଟ୍ରମ୍ପ ଟାରିଫର ସମାଧାନ ନ ହେଲେ ଆମେରିକାକୁ ଓଡ଼ିଶାର ଚିଙ୍ଗୁଡ଼ି ଯିବା ମୁସ୍କିଲ ହୋଇପଡ଼ିବ । ଚାନ୍ଦୁଆ, ବାନ୍ଧକଳା, ପାଟଶାଢୀ ରପ୍ତାନୀ ବି ପ୍ରଭାବିତ ହେବ। ସାଂଘାଇ ସମ୍ମିଳନୀରେ ଚୀନ-ଭାରତ-ରଷିଆ ଭଳି ବଡ଼ ବଡ଼ ରାଷ୍ଟ୍ର ଏକାଠି ହୋଇ ଏହା ଉପରେ ଆଲୋଚନା କରିଥିବାରୁ, ଟ୍ରମ୍ପ ଟାରିଫକୁ ଟକ୍କର ଦେବା ପାଇଁ କିଛି ବାଟ ବାହାରିବା ନେଇ ଆଲୋଚନା ହେଉଛି ।