ଗୁରୁ ଦିବସରେ ଜାତୀୟ ଶିକ୍ଷା ନୀତି ବିରୋଧରେ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଗୁରୁ ଦିବସରେ ଜାତୀୟ ଶିକ୍ଷା ନୀତି ବିରୋଧରେ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ । ମନଇଚ୍ଛା ଜାତୀୟ ଶିକ୍ଷା ନୀତି ଲାଗୁ ଯୋଗୁଁ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦ କରି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ବ୍ୟାନରରେ ଏକାଠି ହୋଇଛନ୍ତି ଶିକ୍ଷକ ସଂଗଠନ, ଶିକ୍ଷାବିତ, ଛାତ୍ର ସଂଗଠନ ତଥା ବିଭିନ୍ନ ବର୍ଗର ଲୋକେ । ଜାତୀୟ ସ୍ତରରେ ରାଜ୍ୟ ବିଶ୍ୱବିଦ୍ୟାଳୟର ମାନ ଖସୁଥିବା ବେଳେ ପ୍ରାକ ପ୍ରାଥମିକ ଶିକ୍ଷାରେ ଶିଶୁ ବାଟିକା ବି ଫେଲ ମାରିଛି । ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ସରକାର ତୁରନ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ଦାବି ସହ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଛି ।

ଜାତୀୟ ଶିକ୍ଷା ନୀତି ଲାଗୁ ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ପ୍ରାକ ପ୍ରାଥମିକ ଶିକ୍ଷାରେ ଶିଶୁ ବାଟୀକାଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ମଧ୍ୟ ନଷ୍ଟ ହୋଇଛି । ରାଜ୍ୟର ଶିକ୍ଷା ଭିତ୍ତିଭୂମି ଓ ସ୍ଥିତିକୁ ନଦେଖି ମନଇଚ୍ଛା କେନ୍ଦ୍ରର ଜାତୀୟ ଶିକ୍ଷା ନୀତି ଲାଗୁ କରାଗଲା । ଜୋର ଜବରଦସ୍ତ ଲାଗୁ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଵା ଅଭିଯୋଗ କରିଛନ୍ତି ଶିକ୍ଷାବିତ ଓ ଶିକ୍ଷକ ସଂଗଠନ । ବିଭିନ୍ନ ବର୍ଗର ବିଶେଷଜ୍ଞ ଏକାଠି ହୋଇ କିଭଳି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ରକ୍ଷା କରିହେବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଜାତୀୟ ଶିକ୍ଷା ନୀତି ଆଧାରରେ ସରକାର ତରବରିଆ ଭାବେ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟୀକା ଖୋଲିଥିବାବେଳେ ସେଠାରେ ସ୍ୱତନ୍ତ୍ର ପ୍ରଶିକ୍ଷିତ ଶିକ୍ଷକ ମଧ୍ୟ ନିଯୁକ୍ତି ଦେଇନାହାନ୍ତି । ହେଲେ ଆଗୁଆ ଶିଶୁ ସେବିକା ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଶିକ୍ଷକମାନେ ରାସ୍ତାକୁ ଓଲ୍ହାଇଛନ୍ତି । ବିଶ୍ୱବିଦ୍ୟାଳୟଗୁଡିକର ମନମୁତାବକ କାର୍ଯ୍ୟ ଯୋଗୁଁ ଜାତୀୟ ସ୍ତରରେ ବିଶ୍ୱବିଦ୍ୟାଳୟ ମାନ କମୁଛି । ଶିକ୍ଷାର ବ୍ୟବସାୟୀକରଣ କରିବାକୁ ଏଭଳି ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ସମାଜର ସମସ୍ତ ବର୍ଗଙ୍କୁ ନେଇ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଛାତ୍ର ସଂଗଠନଗୁଡ଼ିକ ରାଜ୍ୟଵ୍ୟାପୀ ବିଶାଳ ଆନ୍ଦୋଳନ ପାଇଁ ଘୋଷଣା କରିଛନ୍ତି । ଜାତୀୟ ଶିକ୍ଷା ନୀତି ବିରୋଧରେ ଆସନ୍ତା ୧୩ରେ ବାରାଣସୀରେ ବିଶାଳ ଧାରଣା ସହ ୭ ତାରିଖରେ ଓଡ଼ିଶାରେ ବିଶାଳ ସଭା କରାଯିବାକୁ ନିଷ୍ପତ୍ତି ହୋଇଛି ।