କେବେ ସରିବ ଟେନସନ ? ସାର ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ

1 min read

ନନ୍ଦିଘୋଷ ବ୍ୟୁରୋ: ରାୟଗଡାରେ ସରୁନି ସାର ଟେନସନ । ସାର ବସ୍ତା ଖଣ୍ଡେ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ । ବିଭିନ୍ନ ଲ୍ୟାମ୍ପସ୍ ଓ ଡିଲର୍ ଦୋକାନରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି ଅନ୍ନଦାତା । ସେହିପରି ଆନ୍ଧ୍ର-ଓଡିଶା ସୀମାନ୍ତରେ ରହୁଥିବା ଚାଷୀମାନେ ସରକାରୀ ସାର ପାଉନାହାନ୍ତି । ଫଳରେ ପଡୋଶୀ ଆନ୍ଧ୍ରର କିଛି ଦଲାଲଙ୍କ ଠାରୁ ଚଢା ଦରରେ ସାର କିଣୁଥିବା ଅଭିଯୋଗ ହୋଇଛି । ଏପଟେ ବିଭିନ୍ନ ସାର ବିକ୍ରୟ କେନ୍ଦ୍ରକୁ ସ୍ଥାନୀୟ ବିଧାୟକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଅଭାବୀ ବିକ୍ରି ରୋକିବା ପାଇଁ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି ।

ସରୁନି ସାର ସମସ୍ୟା । ତଳି ବୁଣା ସାରି ସାର ପକାଇବା ସମୟ ଆସିଲାଣି । ତଥାପି ଚାଷୀଙ୍କୁ ମିଳୁନି ସାର । ବିଭିନ୍ନ ଲ୍ୟାମ୍ପସ୍ ଓ ଡିଲର ଦୋକାନ ମାନଙ୍କରେ ଚାଷୀଙ୍କ ଲମ୍ବା ଲାଇନ । ଘଣ୍ଟାଘଣ୍ଟା ଧରି ଠିଆ ହୋଇ ହେଉଛନ୍ତି ହଟହଟା । ରାୟଗଡା ଜିଲ୍ଲାର ୧୧ ଗୋଟି ବ୍ଲକରେ ସମାନ ସ୍ଥିତି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ସାର ଅଭାବ ଦେଖାଦେଇଥିଲା । ଏବେ ସେପରି ପରିସ୍ଥିତି ନାହିଁ । ଜିଲ୍ଲାକୁ ୧୪ ହଜାର ୫୦ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ପଡୁଥିବା ବେଳେ ଆସିଛି ୧୨ ହଜାର ୭୩ ମେଟ୍ରିକ ଟନ ସାର । ସମସ୍ତ ସାରକୁ ବିଭିନ୍ନ ବ୍ଲକରେ ବଣ୍ଟା ଯାଇଛି । ତଥାପି ସାର ନିଅଣ୍ଟ ଦେଖାଦେଉଛି । ଏଠି ପ୍ରଶ୍ନ ଉଠୁଛି- ସାର କୁଆଡେ ଗଲା ? ତା ହିସାବ କିଏ ରଖୁଛନ୍ତି ନା ନାହିଁ ? ଏପଟେ ଡିଲର ସଂସ୍ଥାରୁ ଗୋଟିଏ ଆଧାର କାର୍ଡରୁ ଗୋଟିଏ ବସ୍ତା ସାର ମିଳୁଥିବାରୁ ଚାଷୀ ଅସନ୍ତୋଷ ବ୍ଯକ୍ତ କରିଛନ୍ତି । ସେପଟେ ଓଡିଶା-ଆନ୍ଧ୍ର ସୀମାନ୍ତର ରହୁଥିବା ସାନ୍ଧୁବାଡି, କାରୁବାଇ, ମୀରାବାଲି, ବୈରାଗୀହାଲୁଆ, କେରେଡା, ଗାଜିଗାଁ ଭଳି ଅନେକ ପଞ୍ଚାୟତ ସୀମାବର୍ତ୍ତୀ ଗାଁର ଚାଷୀମାନେ ସରକାରୀ ସାର ପାଉନାହାନ୍ତି । ଫଳରେ ସେମାନେ ପଡୋଶୀ ଆନ୍ଧ୍ରର କିଛି ଦଲାଲଙ୍କ ଠାରୁ ଚଢା ଦରରେ ୟୁରିଆ କିଣୁଥିବା ଅଭିଯୋଗ କରିଛନ୍ତି  ।

ରାୟଗଡା ଜିଲ୍ଲାରେ ୟୁରିଆ ସାରର ନିଆଣ୍ଟିଆ ପରିସ୍ଥିତି ନଥିବା ସରକାରୀ ସୂତ୍ର କହିଛି । ହେଲେ ଚାଷୀଙ୍କୁ କାହିଁକି ନିୟମିତ ସାର ମିଳୁନି ? ସେନେଇ କେହି ମୁହଁ ଖୋଲୁ ନାହାନ୍ତି । ଅନ୍ୟପଟେ ବିଭିନ୍ନ ଲ୍ୟାମ୍ପସ୍ ଓ ସରକାରୀ ସ୍ବୀକୃତିପ୍ରାପ୍ତ ଡିଲର୍ ପାଖରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ରାୟଗଡା ବିଧାୟକ । ଚାଷୀଙ୍କ ସମସ୍ୟା ବୁଝିବା ସହ ନିୟମିତ କେମିତି ସାର ଯୋଗାଣ ହେବ ସେନେଇ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି । ସାର ପାଇଁ ଚାଷୀ ହଟହଟା ହେଉଛି । କେବେ ଦୂର ହେବ ସାର ସଙ୍କଟ ଆଉ କେବେ ଚାଷୀଙ୍କ ସମସ୍ୟାର ସମାଧାନ ହେବ ତାକୁ ହିଁ ଅପେକ୍ଷା ।