ନେପାଳ ପ୍ରଧାନମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତିଙ୍କ ଇସ୍ତଫା
1 min read
ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଜେନ୍-ଜେଡଙ୍କ ଆନ୍ଦୋଳନ ଉଗ୍ର ରୂପ ନେବା ପରେ ଜଣଙ୍କ ପରେ ଜଣେ ନେତା ନିଜ ପଦରୁ ଇସ୍ତଫା ଦେଉଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ୟ ଇସ୍ତଫା ଦେଇଛନ୍ତି । ଆନ୍ଦୋଳନକାରୀ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ଓଲି ଇସ୍ତଫା ଦେଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଅନ୍ତରିମ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି ।
ବାଲେନ୍ଦ୍ର ଶାହଙ୍କୁ ରାଷ୍ଟ୍ରପତି କରିବାକୁ ଦାବି
ସେପଟେ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହଙ୍କୁ ଅନ୍ତରିମ ରାଷ୍ଟ୍ରପତି କରାଯିବାକୁ ଜେନ୍-ଜେଡ ପକ୍ଷରୁ ଦାବି କରାଯାଇଛି । ସୂଚନାଯୋଗ୍ୟ, ଜେନ୍-ଜେଡଙ୍କ ଏହି ଆନ୍ଦୋଳନର ନେତୃତ୍ବ ବାଲେନ୍ଦ୍ର ନେଇଛନ୍ତି । ଓଲିଙ୍କ ଇସ୍ତଫା ଜେନେରେଶନ ଜେଡଙ୍କ ଆନ୍ଦୋଳନର ପ୍ରଭାବ ବୋଲି ବାଲେନ୍ଦ୍ର ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି । ନିଜ ପୋଷ୍ଟରେ ସେ ଲେଖିଛନ୍ତି, ମୁଁ ସ୍ପଷ୍ଟ ଭାବେ କହିଛି, ଏହି ଆନ୍ଦୋଳନ କେବଳ ଜେନ-ଜେଡଙ୍କର । ପ୍ରୀୟ ଜେନେରେଶନ ଜେଡ ଆପଣଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତି ଇସ୍ତଫା ଦେଇ ସାରିଛନ୍ତି । ଏବେ ସଞ୍ଜମତା ରକ୍ଷା କର ।
ନେପାଳ ସେନାର ଅପିଲ୍
ସେପଟେ ନେପାଳ ସେନାମୁଖ୍ୟ ମଧ୍ୟ ଜେନ-ଜେଡଙ୍କୁ ସଞ୍ଜମତା ରକ୍ଷା କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇ ସାରିଛି । ଏବେ ସମସ୍ତଙ୍କୁ ଅନୁରୋଧ କରାଯାଉଛି, ବିରୋଧ ପ୍ରଦର୍ଶନ ବେଳେ ସଞ୍ଜମତା ରକ୍ଷା କରନ୍ତୁ ଓ ରାଷ୍ଟ୍ରୀୟ ସମ୍ପତ୍ତିକୁ କ୍ଷତି ନପହଞ୍ଚାନ୍ତୁ ।
ନେତାଙ୍କୁ ଉଦ୍ଧାର କରୁଛି ସେନା
କାଠମାଣ୍ଡୁ ପୋଷ୍ଟ ଅନୁସାରେ, ଆନ୍ଦୋଳନକାରୀମାନେ ମନ୍ତ୍ରୀମାନଙ୍କ ବାସଭବନକୁ ଭଙ୍ଗାରୁଜା କରିବା ପରେ ମନ୍ତ୍ରୀମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ନେପାଳ ସେନା ଆରମ୍ଭ କରି ଦେଇଛି । ହେଲିକପ୍ଟର ଜରିଆରେ ସେନା ମନ୍ତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଚନ୍ତି । ସଂସଦ ଭବନ ସୁରକ୍ଷା ପାଇଁ ସେନା ମୁତୟନ କରାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।
କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ?
ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ପରେ ଏବେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏମିତି ସ୍ଥିତିରେ ଦୁଇ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି । କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି କିଛି ତାଙ୍କୁ ଅନ୍ତରିମ ରାଷ୍ଟ୍ରପତି କରିବାକୁ ବି ଦାବି କରୁଛନ୍ତି । କାରଣ ବାଲେନ୍ଦ୍ର ଆରମ୍ଭରୁ ହିଁ ଏହି ଆନ୍ଦୋଳନକୁ ସମର୍ଥନ ଦେଇ ଆସିଛନ୍ତି । ତାଙ୍କ ପରେ ଦ୍ବିତୀୟ ବଡ଼ ଚେହେରା ଭାବେ ଶେଖର କୋଇରାଲଙ୍କ ନାଁ ବି ପ୍ରଧାନମନ୍ତ୍ରୀ ଦୌଡରେ ରହିଛି ।
ଭାରତୀୟ ଦୂତାବାସ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି
ନେପାଳ ସ୍ଥିତି ଖରାପ ହେବା ପରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ନେପାଳ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ନେପାଳରେ ରହୁଥିବା ଭାରତୀୟ କୌଣସି ପ୍ରକାରର ସହାୟତା ପାଇଁ 977-9808602881 ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।
ସେପଟେ ସ୍ଥିତିକୁ ଦେଖି ଦିଲ୍ଲୀରୁ କାଠମାଣ୍ଡୁକୁ ବିମାନ ସେବା ବନ୍ଦ କରି ଦିଆଯାଇଛି । ଅନ୍ତରିମ ସରକାର ଗଠନ ନହେବା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବାର ସମ୍ଭାବନା ରହିଛି ।