ଗଞ୍ଜାମ ଜିଲ୍ଲାରେ ବଢିବାରେ ଲାଗିଛି ଡ୍ରପ ଆଉଟ ସଂଖ୍ୟା, ଶିକ୍ଷାୟତନରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବଢିବାରେ ଲାଗିଛି ଡ୍ରପ ଆଉଟ ସଂଖ୍ୟା । ଶିକ୍ଷାୟତନରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ୧୫ ହଜାର ଟପିଲାଣି ସ୍କୁଲ ଡ୍ରପ ଆଉଟ ସଂଖ୍ଯା । କଣ ପାଇଁ ସ୍କୁଲକୁ ପିଲାମାନେ ଆସୁନାହାନ୍ତି ? ସରକାର ସବୁ କିଛି ମାଗଣାରେ ଯୋଗାଉଥିବା ବେଳେ ସ୍କୁଲ କାହିଁକି ଯିବାକୁ ଅମଙ୍ଗ ହେଉଛନ୍ତି ପିଲା ? ଯାହା ଏବେ ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଅନ୍ଯପଟେ ପିଲାଙ୍କୁ ପୁନଃ ସ୍କୁଲକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଗଞ୍ଜାମରେ ଭୁଶୁଡିଗଲାଣି ଶିକ୍ଷା ବ୍ୟବସ୍ଥା । ଶିକ୍ଷାୟତନରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ଆର୍ଥିକ ଅନଟନ ପାଇଁ ଅନେକ ପାଠପଢାରୁ ହେଉଛନ୍ତି ବଞ୍ଚିତ । ୧୫ ହଜାର ଟପିଲାଣି ଡ୍ରପଆଉଟ ସଂଖ୍ୟା । ବିଶେଷ କରି ୬ ରୁ ୧୪ ବର୍ଷ ବୟସ୍କ ମଧ୍ଯରେ ଛାତ୍ରୀଛାତ୍ରମାନେ ଅଧାରୁ ପାଠ ଛାଡି ଦେଉଛନ୍ତି । ଜିଲ୍ଲାରେ ଡ୍ରପ ଆଉଟ ସଂଖ୍ୟାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା । ଯେଉଁଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୫ ହଜାର ୬୦୭ ଜଣ ପିଲା ଅଧାରୁ ପାଠ ଛାଡିଥିବା ଜଣାପଡିଛି । ଡ୍ରପ ଆଉଟ ପିଲାଙ୍କ ମଧ୍ୟରେ ଝିଅଙ୍କ ହାର ସର୍ବାଧିକ ରହିଛି ଯାହା ବଡ ଚିନ୍ତାର କାରଣ ପାଲଟିଛି । କଣ ପାଇଁ ସ୍କୁଲକୁ ପିଲାମାନେ ଆସୁନାହାନ୍ତି ? ଅଧାରୁ କଣ ପାଇଁ ଛାଡୁଛନ୍ତି ପାଠପଢା ? ସରକାର ସବୁ କିଛି ମାଗଣାରେ ଯୋଗାଉଥିବା ବେଳେ ସ୍କୁଲ କାହିଁକି ଯିବାକୁ ଅମଙ୍ଗ ହେଉଛନ୍ତି ପିଲା ? ଏଭଳି ଅନେକ ପ୍ରଶ୍ନ ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପଟେ ଡ୍ରପ ଆଉଟ୍ ପିଲାଙ୍କୁ ଠାବ କରି ସ୍କୁଲକୁ ଫେରାଇ ଆଣିବାକୁ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ସରକାରଙ୍କ ପକ୍ଷରୁ ଏସ୍ସି-ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା କମାଇବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି । ଏଥିସହ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ଦ୍ବାରା ଜିଲ୍ଲାରେ ଡ୍ରପଆଉଟ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଅନ୍ୟପଟେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକଙ୍କ ଅଭାବରୁ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସରକାର ଗଞ୍ଜାମ ଜିଲ୍ଲାରେ ଡ୍ରପ ଆଉଟ ହାର ହ୍ରାସ କରିବାରେ କେତେ ମାତ୍ରାରେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।