ରାସ୍ତା ପାଲଟିଛି ମୃତ୍ୟୁର ପଥ, ମରଣଯନ୍ତା ପାଲଟିଛି ନୟାହାଟରୁ ଶିଖରଘାଟ ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ମରଣଯନ୍ତା ପାଲଟିଛି ନୟାହାଟରୁ ଶିଖରଘାଟ ରାସ୍ତା । ରାସ୍ତାଟି ୩ ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ରାସ୍ତାରେ ଭରି ରହିଛି ବିରାଟ ବିରାଟ ଗର୍ତ୍ତ । ଖାଲରେ ପାଣି ଜମିରହୁଥିବାରୁ ଚାଲିବା ତ ଦୂରର କଥା ଗାଡିମୋଟର ଯିବାବି କଷ୍ଟକର ହୋଇପଡୁଛି । ରାସ୍ତା ଦୂରାବସ୍ଥା ପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଶୀଘ୍ର ରାସ୍ତା ମରାମତି ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।
ରାସ୍ତା ପାଲଟିଛି ମୃତ୍ୟୁର ପଥ । ପାଦେପାଦେ ବିପଦ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ଦେଖନ୍ତୁ କିପରି ରାସ୍ତା ଉପରେ ସୃଷ୍ଟି ହୋଇଛି ବଡବଡ ଗାତ । ତା ଭିତରେ ଜମି ରହିଛି ବର୍ଷା ପାଣି । ଏ ହେଉଛି ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳି ନୟାହାଟରୁ ଶିଖରଘାଟକୁ ସଂଯୋଗ କରୁଥିବା ରାସ୍ତାର ଦୂରାବସ୍ଥା । ଏହି ରାସ୍ତାଟି ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଛି । ହେଲେ ମରାମତି ଅଭାବରୁ ରାସ୍ତାରେ ଶତାଧିକ ଗାତ ସୃଷ୍ଟି ହୋଇଛି । ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଜମିରହିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ । ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।
ନୟାହାଟରୁ ଶିଖରଘାଟ ରାସ୍ତାଟି କାକଟପୁର ମାଆ ମଙ୍ଗଳାଙ୍କ ପୀଠରୁ ଜଗତସିଂହପୁର ମା ଶାରଳାଙ୍କ ପୀଠକୁ ସଂଯୋଗ କରୁଛି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡି ଯାତାୟତ କରୁଛି । ହେଲେ ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ସରକାର ତୁରନ୍ତ ଏହି ରାସ୍ତାର ପୁନରୁଦ୍ଧାର ନକଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ ।