ଜୟପୁର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ସେବା ବ୍ୟାଘାତ: ଠିକା କର୍ମଚାରୀଙ୍କୁ ପ୍ରତାରଣା କରୁଛି ଠିକା ସଂସ୍ଥା

1 min read

ଜୟପୁର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ସେବା ବ୍ୟାଘାତ । ଠିକା କର୍ମଚାରୀଙ୍କୁ ପ୍ରତାରଣା କରୁଛି ଠିକା ସଂସ୍ଥା L&K ସର୍ଭିସ୍ । ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ୪୩୦ ଜଣ ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି । ହେଲେ ସେମାନଙ୍କୁ ଅଭ୍ୟାସଗତ ଭାବେ ଗୋଟିଏ ମାସ ଦରମା ଦେଲେ ପୁଣି ଦୁଇ ମାସ ଦରମା ଦେଉନି ଠିକା ସଂସ୍ଥା । ଚିକିତ୍ସାଳୟରେ କାର୍ଯ୍ୟରତ ୭୦ ଜଣ ଷ୍ଟାଫ୍ ନର୍ସ୍ ,୧୦୦ ଜଣ ସିକୁରିଟି ଗାର୍ଡ , ୧୦୦ ଜଣ ସୁଇପର , ୧୦୦ ଜଣ ଆଟେଣ୍ଡାଣ୍ଟଙ୍କ ସହିତ ଡ୍ରାଇଭର , ଡାଟା ଏଣ୍ଟ୍ରି ଅପରେଟର ଏମିତି ୪୩୦ ଜଣଙ୍କୁ ନିୟମିତ ଦରମା ଦେବାରେ ବିଳମ୍ବ କରୁଛି ଠିକା ସଂସ୍ଥା । କାମ କଲେ ପରିବାର ଚଳାଉଥିବା ଠିକା କର୍ମଚାରୀ ମାନେ ବାରମ୍ବାର ଅଭିଯୋଗ କଲେ ବି କିଏ ଶୁଣୁନାହାନ୍ତି । ଖାଲି ସେତିକି ନୁହେଁ ଜଣେ ଜଣେ ଠିକା କର୍ମଚାରୀ ମାନଙ୍କ ଠାରୁ ଚାକିରି ଦେବା ପାଇଁ ୨୫ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ମଗାଯାଉଛି । ଏନେଇ ଅଭିଯୋଗ କଲେ କାର୍ଯ୍ୟରୁ ବାହାର କରିଦେବାକୁ ଧମକ ଦିଆଯାଉଛି । ଆଜି ଜୟପୁର ସଦର ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲା ଚିକିତ୍ସାଳୟ ଧାରଣାରେ ବସିଛନ୍ତି ।

ଏପରି କ୍ରମାଗତ ଭାବେ ଗତ ୭ ବର୍ଷ ଧରି କାମ କରୁଥିବା ଠିକା କର୍ମଚାରୀ ମାନେ ନିର୍ଯାତନାର ଶିକାର ହେବାକୁ ପଡୁଥିବା କହିଛନ୍ତି କର୍ମଚାରୀ । ଏପଟେ ଜିଲ୍ଲା ଚିକିତ୍ସାଳୟ ଅଧିକାରୀ କହିଛନ୍ତି ଯେ ଠିକା କର୍ମଚାରୀ ମାନଙ୍କ ଧାରଣା ନିଶ୍ଚିତ ଭାବେ ରୋଗୀ ସେବାରେ ସମସ୍ଯା ସୃଷ୍ଟି କରୁଛି । ଏତେ ସଂଖ୍ୟକ କର୍ମଚାରୀ ମାନଙ୍କ ଦରମା ନ ମିଳିଲେ ସେମାନେ କାମ କେମିତି କରିବେ ? ସେମାନଙ୍କ ଦାବି ଯୁକ୍ତିଯୁକ୍ତ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ । ଏହାର ସ୍ଥାୟୀ ପ୍ରତିକାର ପାଇଁ ଠିକା ସଂସ୍ଥା L&K ସର୍ଭିସ୍ କୁ ଜଣାଇ ଦିଆଯାଇଛି । ଏବଂ ଠିକା ସଂସ୍ଥା ବିରୋଧରେ ରାଜ୍ଯ ସ୍ବାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି ।