ଚୋରାମଦ ବୋଝେଇ କାରକୁ ଧରିଲା ଅବକାରୀ ବିଭାଗ : ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ଚୋରା ମଦ ବୋଝେଇ କାରକୁ ଗୋଡାଇ ଧରିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଅଧିକାରୀଙ୍କୁ ଚକମା ଦେଇ କାରରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରୁ ଚାଲାଣ ହେଉଥିଲା ଦେଶୀ ମଦ । ଦୀର୍ଘ ସମୟର ଛକାପଞ୍ଜା ପରେ ଶେଷରେ କାରକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଠଗଡ ଥାନା କୋରଙ୍ଗା ଗ୍ରାମ ଏବଂ ତିଗିରିଆ ଥାନା ପାଇକସାହି ଗ୍ରାମରେ ଆଠଗଡ ଅବକାରୀ ବିଭାଗ ଓ ଆଠଗଡ ପୋଲିସ ଏକ ମିଳିତ ଚଡାଉ କରିଥିଲେ । ଉକ୍ତ ଚଢାଉରେ ସର୍ବମୋଟ ୧୭ ଶହ ୫୦ ଲିଟର ଦେଶୀ ମଦ ସହ ୧୫ ହଜାର ୪୭୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇଛି । ସେଗୁଡିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏହାସହ ୨୫ ଗୋଟି ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ଆଲୁମିନିଉମ ଡିସ୍କ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରାଯାଇଛି।