ଗୁଣିଗାରେଡି ସନ୍ଦେହ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ!

ନନ୍ଦିଘୋଷ ବ୍ୟୁରୋ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ । ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଏ.କରଳ ଗ୍ରାମ ନିକଟରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି । ଗୁଣିଗାରେଡି ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ଦୁଇ ଜଣ ସାଙ୍ଗ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଅଟୋରେ ଫେରିବା ସମୟରେ ଅଭିଯୁକ୍ତ ସାଙ୍ଗ ଏ.କରଳ ଗ୍ରାମ ନିକଟ ଜଙ୍ଗଲରେ ଅଟ ରଖିବାକୁ କହିଥିଲା । ଏହା ସହ ଖଗେଶ୍ବରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ପରେ ସକାଳୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଦୋରାଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତ ସାଙ୍ଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପୂର୍ବରୁ ମୃତ ଖଗେଶ୍ବର ଗୁଣିଗାରେଡି କରୁଛି ବୋଲି ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ହେବା ସହ ଗ୍ରାମରେ ସଭା ହୋଇଥିଲା । ଅପରପକ୍ଷେ ଏହି ହତ୍ୟାକାଣ୍ଡ ହେବା ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି।