ଆଜି ବି ଏହି ଗାଁରେ ନାହିଁରେ ନାହିଁ ବିଜୁଳି, ଡିବିରି ଆଲୁଅରେ ରହୁଛନ୍ତି ଲୋକେ…

ନନ୍ଦିଘୋଷ ବ୍ୟୁରୋ: ଆଜି ବି ଏଭଳି ଗାଁ ଅଛି, ଯେଉଁଠି ବିଜୁଳି ଆଲୁଅ ସାତସପନ । ସନ୍ଧ୍ୟା ହେଲେ ଗାଁରେ ଛାଇଯାଉଛି ଘନ ଅନ୍ଧକାର । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବିଜୁଳି ସଂଯୋଗ ତ ଦୂରର କଥା ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ପାନୀୟ ଜଳ ସମସ୍ୟା କହିଲେ ନସରେ । ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ. ସୀତାପୁର ପଞ୍ଚାୟତର ଦେବଦଳା ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା। ।
ବିନା ଆଲୁଅରେ ବିତୁଛି ଜୀବନ । ବିଜୁଳି ଆଲୁଅ ଏଠି ସାତସପନ । ସନ୍ଧ୍ୟା ହେଲେ ଘୋଟିଯାଉଛି ଅମା ଅନ୍ଧକାର । ସାହାରା ପାଲଟିଛି କ୍ୟାଣ୍ଡେଲ ଓ ଟର୍ଚ୍ଚ ଲାଇଟ ।.. .. ଏ ହେଉଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ. ସୀତାପୁର ପଞ୍ଚାୟତର ଦେବଦଳା ଗାଁ । ଏଠାରେ ୧୮ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ସନ୍ଧ୍ୟା ହେଲେ ବଢ଼ିଯାଏ ଏମାନଙ୍କ ସମସ୍ୟା । ମହମବତୀ ଆଲୁଅ ଓ କାଠ ଚୁଲି ଆଲୁଅରେ ଚଳିବାକୁ ହୁଏ । ପିଲାଙ୍କ ପାଠପଢ଼ା ହେଉ ଅବା ରୋଷେଇ ସବୁ ସେଥିରେ ହିଁ ହୁଏ। ଦେଖନ୍ତୁ ଏହି ଚିତ୍ରକୁ କିଭଳି ଗୋଟିଏ କ୍ୟାଣ୍ଡେଲ ଲଗାଇ ପାଠ ପଢ଼ୁଛନ୍ତି ପିଲାମାନେ । ଘରୁ ବାହାରିଲେ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହିଥିବା ବେଳେ ଟର୍ଚ୍ଚ ଆଲୁଅ ହିଁ ଭରସା। ବିଦ୍ୟୁତ ସଂଯୋଗ ନ ଥିବାରୁ ନିକଟସ୍ଥ ଗ୍ରାମରୁ ମୋବାଇଲ ଫୋନ, ଟର୍ଚ୍ଚ ଲାଇଟ୍ ଚାର୍ଜିଂ କରି ଆଣିବାକୁ ପଡୁଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା ଏଯାଏ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମକୁ ଏକ ପ୍ରାଥମିକ ରାସ୍ତା ନିର୍ମାଣ ହୋଇଛି । ହେଲେ ପକ୍କା ରାସ୍ତା ନିର୍ମାଣ , ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏଯାଏଁ ଗାଁରେ ପହଞ୍ଚିପାରି ନାହଁ । ସରପଞ୍ଚଙ୍କ ଜରିଆରେ ବିଦ୍ୟୁତ ସଂଯୋଗ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଏଠାରେ ବିକାଶ ଅପହଞ୍ଚ ରହିଥିବାବେଳେ ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ଗ୍ରାମ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ।
ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖୁଥିବା ବେଳେ ଏବେ ବି କିଛି ସ୍ଥାନରେ ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ତେବେ ଦେବଦଳା ଗାଁର ମୌଳିକ ସମସ୍ୟା କେବେ ଦୂର ହେଉଛି ଗାଁକୁ କେବେ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ୁଛି ତା ଉପରେ ରହିଛି ନଜର ।