ଜରାଜୀର୍ଣ୍ଣ ଅବସ୍ଥାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ଉପ-କାରାଗାର

1 min read

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ବିଚାରାଧୀନ କଏଦୀଙ୍କୁ ରଖିବା ପାଇଁ ନିର୍ମାଣ ହୋଇଥିଲା ଉପ-କାରାଗାର । ପାତ୍ରପୁର ବ୍ଲକ ଜରଡ଼ା ଥାନା ବାଦପୁରରେ ନିର୍ମିତ ଉପ-କାରାଗାରକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭୂତକୋଠି ପାଲଟିଛି ଉପ-କାରାଗାର । କୋଠାରେ ଉଠିଛି ଅନାବନା ଗଛ ।  ସନ୍ଧ୍ୟା ହେଲେ ଜମୁଛି ଅସାମାଜିକ ଲୋକଙ୍କ ଆଡ୍ଡା । ଏ ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁରରେ ଥିବା ଉପ-କାରାଗାରର ଦୃଶ୍ୟ । ଏଠାରେ ପୁରୁଷ ଓ ମହିଳା କଏଦୀମାନଙ୍କ ନିମନ୍ତେ ସେଲ୍, ମେଡିକାଲ, ରୋଷେଇଘର, ଜେଲର ଓ ଜେଲ କର୍ମଚାରୀମାନଙ୍କ ପାଇଁ କ୍ବାର୍ଟର୍ସ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ରହିଛି । ହେଲେ ଏହାକୁ କାର୍ଯ୍ୟକ୍ଷମ କରାଗଲାନି । କାର୍ଯ୍ୟକ୍ଷମ ନ କରିବାରୁ ବର୍ତ୍ତମାନ ସବଜେଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହା ଏକ ଜଙ୍ଗଲ ଭାବେ ଦେଖାଯାଉଥିବା ବେଳେ ଉପ-କାରାଗାର ଚାବି ଏବେ ଛେଳି ଜଗୁଆଳିଙ୍କ ହାତରେ। ଏବର ସରକାର ଏହାକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଯାହକୁ ବିରୋଧ କରିବା ସହ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଚିକିଟି ନିର୍ବାଚନମଣ୍ଡଳିରେ ରହିଛି ୨ଟି ଥାନା ।  ଜରଡ଼ା ଓ କେ.ନୂଆଁଗାଁ ଥାନା । ଏଥିସହିତ ଚିକିଟି ଅବକାରୀ ଥାନା ମଧ୍ୟ ରହିଛି । ଯେଉଁ ମାମଲାଗୁଡିକ ପାତ୍ରପୁର ଜେଏମଏଫସିଙ୍କ କୋର୍ଟରେ ବିଚାର ପରେ ବିଚାରାଧୀନ କଏଦୀଙ୍କୁ  ବ୍ରହ୍ମପୁର ଜେଲକୁ ପଠାଯାଉଛି । ଚିକିଟି ଠାରୁ ବ୍ରହ୍ମପୁର ଜେଲ ପ୍ରାୟ ୫୦ କିଲୋମିଟର ଦୂର । ଯିବା ଆସିବା ପ୍ରାୟ ୧୦୦ କିଲୋମିଟର । ଆସନ୍ତା ବିଧାନସଭା ଅଧିବେଶନରେ ଏହି ଉପ-କାରାଗାରକୁ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗ ଗୃହରେ ସ୍ବର ଉଠାଇବି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।