ମୌସୁମୀ ଅଧିବେଶନ ଲାଗି ରଣନୀତି, ବିରୋଧୀ-ସରକାର ହେବେ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ। ଏହାପୂର୍ବରୁ ୧୭ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ । ସାର ସଙ୍କଟ ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ଚାଷୀ ସମସ୍ୟା ସହ ବହୁ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ବିଜେଡି ଜବାବ ମାଗିବ ବୋଲି କହିସାରିଛି । ଦେଢ଼ ବର୍ଷରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଥିବାରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ କଂଗ୍ରେସ ଆଗରୁ ଚେତାବନୀ ଦେଇସାରିଛି । ତେବେ ବିରୋଧୀ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ମୁକାବିଲା କରିବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛି ।
ମୌସୁମୀ ଅଧିବେଶନ ପୂର୍ବରୁ ବସିବ ବିଧାୟକ ଦଳ ବୈଠକ । ୧୭ରେ ବିଜେଡି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ସାର ସଙ୍କଟ, ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ବିଜେଡିର ଅସ୍ତ୍ର । ଅନାସ୍ଥା ପ୍ରସ୍ତାବ ଆଣି ଘେରିବ କଂଗ୍ରେସ । ବିରୋଧୀ ଦଳଙ୍କୁ ମୁକାବିଲା କରିବାକୁ ଶାସକ ଦଳର ବି ରଣନୀତି ପ୍ରସ୍ତୁତ ।.. ..ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସ ସହ ୨୫ ତାରିଖ ଯାଏଁ ଚାଲିବ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ତୟାର ମୁଖ୍ୟ ବିରୋଧୀ ବିଜେଡି। ଆସନ୍ତା ୧୭ ତାରିଖରେ ବିଜେଡି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସି ଦଳ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ଆଲୋଚନା ହେବ ।
ବିଶେଷ କରି ରାଜ୍ୟରେ ସାର ସଙ୍କଟ ଉତ୍କଟ ହୋଇଥିବାରୁ ବିଜେଡି ଚାଷୀଙ୍କ ସ୍ଵର ସାଜି ଗୃହରେ ଏହାକୁ ଉଠାଇ ସରକାରଙ୍କୁ ଘାଇଲା କରିବ । ଏହାସହ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି । ସେହିପରି ଆସନ୍ତା ୧୭ତାରିଖରେ କଂଗ୍ରେସ ବିଧାୟକ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ । ଦେଢ଼ ବର୍ଷର ବିଜେପି ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଥିବ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ। ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଦଳ ଅନ୍ୟଦଳର ସହଯୋଗ ଲୋଡିବ ବୋଲି କଂଗ୍ରେସ କହିଛି। ନାରୀ ନିର୍ଯାତନା, ଛାତ୍ରୀ ପୋଡ଼ି, ଚାଷୀ ସମସ୍ୟା ନେଇ ଶାସକ ଦଳକୁ ଜବାବ ମାଗିବ ଦଳ । କଂଗ୍ରେସ ବିଧାୟକ ଦଳ ବୈଠକରେ ପିସିସି ସଭାପତି ଓ ବିଧାୟକମାନେ ବସି ରଣନୀତି ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।
ସେପଟେ ଶାସକ ଦଳ କହିଛି ଦୁଇ ବିରୋଧୀ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବେ ତାହାର ଜବାବ ଦେବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ବିଜେପି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଗୃହରେ ଉଠାଇବ । ବିଜେପି ବିଧାୟକ ଦଳ ବୈଠକରେ ଏସବୁ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।