ଅପରେସନ ଅନ୍ବେଷଣର ଉଡ଼ିଲା ଧଜ୍ଜିଆ: ଏକ ସପ୍ତାହ ପରେ ବି ମିଳୁନି ମହିଳା କନଷ୍ଟେବଳଙ୍କ ପତ୍ତା, ନିଖୋଜ ପଛରେ ପୋଲିସର ହାତ ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: ମହିଳା କନଷ୍ଟେବଳ ନିଖୋଜ ଘଟଣାକୁ ସପ୍ତାହେ ବିତିଲା । କମିଶନରଙ୍କୁ ଭେଟି ଗୁହାରୀ ଜଣାଇଲେ ପରିବାର । ସିଡ଼ିଆର ଯାଞ୍ଚ ସହ ସ୍ପେଶାଲ ଟିମ ଚଳାଇଛି ତଦନ୍ତ । ସେପଟେ ମଞ୍ଚେଶ୍ୱର ମର୍ଡର କେସରେ ଅପରାଧୀ ଧରା ହେବା ଦୂର କଥା, ମୃତକଙ୍କ ଏଯାଏଁ ମିଳିଲାନି ପରିଚୟ ।

ପୋଲିସକୁ ଖୋଜି ଦେଲେ ପୋଲିସ ଦେବ ପୁରସ୍କାର । କନଷ୍ଟେବଳ ଝିଅକୁ ଖୋଜିବା ପାଇଁ ପରିବାରର ଆକୁଳ ନିବେଦନ । ଅପରେସନ ଅନ୍ୱେଷଣର ଉଡିଲା ଧଜ୍ଜିଆ । ସେପଟେ ମଞ୍ଚେଶ୍ୱର ମର୍ଡର କେସରେ ମିଳୁନି ମୃତକଙ୍କ ପରିଚୟ । ଯିଏ ଖୋଜି ଦେବ ପାଇବ ୨୫ ହଜାର ଟଙ୍କା ପୁରସ୍କାର । ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁ ନିଖୋଜ ଘଟଣାରେ ସୋସିଆଲ ମିଡିଆରେ ଜାରି ହୋଇଛି ପୋଷ୍ଟର । ଗତ ୬ ତାରିଖରୁ ଭୁବନେଶ୍ୱରରୁ ଡ୍ୟୁଟି ସାରି ସେ ନିଖୋଜ ଅଛନ୍ତି । କ୍ୟାପିଟାଲ ଥାନାରେ ଏତଲାକୁ ସପ୍ତାହେ ବିତିଯାଇଥିବା ବେଳେ ଝିଅର ଖୋଜ ଖବର ନମିଳିବାରୁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ପୋଲିସ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ଭାବେ ନେବା ସହ ସ୍ପେଶାଲ ଟିମ ଗଠନ କରିଛି । ସିଡିଆର ରିପୋର୍ଟ ଯାଞ୍ଚ କରୁଛି । ଟ୍ରାଫିକ କନଷ୍ଟେବଳଙ୍କ ନିଖୋଜ ପଛରେ ପୋଲିସ ଡିପାର୍ଟମେଣ୍ଟର ଜଣଙ୍କ ସମ୍ପୃକ୍ତି ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ସୁରକ୍ଷିତ ଭାବେ ଝିଅ କିଭଳି ଘରକୁ ଫେରିବ, ସେ ନେଇ କମିଶନରଙ୍କ ନିକଟରେ ଗୁହାରୀ କରିଛନ୍ତି ଶୁଭମିତ୍ରାଙ୍କ ବାପା ।

ନିଖୋଜ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ଓଡିଶା ପୋଲିସ ନିର୍ଦ୍ଦେଶରେ ସାରା ରାଜ୍ୟରେ ଜୋରଦାର ହୋଇଛି ଅପରେସନ ଅନ୍ୱେଷଣ । ସେପଟେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟ ଖେଳ ପଡ଼ିଆ ମଧ୍ୟରୁ ମିଳିଥିବା ମୃତଦେହର ଏଯାଏଁ ମିଳିନି ପରିଚୟ । ଜନଗହଳିପୂର୍ଣ ସ୍ଥାନରେ ପୋଷ୍ଟର ଲାଗିଛି । ଚିହ୍ନଟ କଲେ ପୁରସ୍କାର ରାଶି ଘୋଷଣା ମଧ୍ୟ ହୋଇଛି । ମୃତଦେହ ନିକଟରୁ ମିଳିଥିବା ବେଲ୍ଟ, ଘଣ୍ଟା, ରୁମାଲର ଫଟୋ ସାର୍ବଜନୀନ ହୋଇଛି । ହତ୍ୟା ମାମଲା ରୁଜୁ ହେବାର ୪ ଦିନ ବା ୯୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହର କେହି ଦାବିଦାର ନମିବାରୁ ଶେଷରେ ପୋଲିସ ସତ୍କାର କରିବ । ଅନ୍ୟପଟେ କେହି ଅନ୍ୟ ସ୍ଥାନରେ ହତ୍ୟା କରି ସେହି ସ୍ଥାନରେ ଆଣି ମୃତଦେହ ପକାଇଥିବା ସନ୍ଦେହ କରାଯାଉଛି ।

କନଷ୍ଟେବଳ ନିଖୋଜ ମାମଲା ହେଉ ବା ମଞ୍ଚେଶ୍ୱର ମର୍ଡର କେସ । ଦୁଇଟି ଘଟଣା ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା । ସେପଟେ ଘଟଣାରୁ ପର୍ଦ୍ଦା ହଟାଇବା ସୃଷ୍ଟି କରିଛି ବଡ଼ ଚ୍ୟଲେଞ୍ଜ ।