ମା’ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀଙ୍କ ପୀଠ । ମୂଳାଷ୍ଟମୀଠାରୁ ମା ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ପୂଜାର ପ୍ରଥମ ଦିନ ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ପାଣି ଅଣାଯାଇ ମା’ଙ୍କ ସ୍ନାନ କରାଯାଇଥିଲା। ଏଥିପାଇଁ ଋଷିକୂଲ୍ୟା ନଦୀକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା । ଏହାପରେ ସେବାୟତ ପରିବାରର ମହିଳାମାନେ ସହସ୍ରାଧିକ ମାଠିଆରେ ନଦୀରୁ ପାଣି ସଂଗ୍ରହ କରିଥିଲେ । ନଦୀ ନିକଟରେ ପୂଜା ସରିବା ପରେ ମହିଳାମାନେ ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମା’ଙ୍କ ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିର ପରିସରରେ ରହିଥିବା ସ୍ନାନ ମଣ୍ଡପକୁ ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇଥିଲା । ଏଥିପାଇଁ ମନ୍ଦିରରେ ଲାଗିଥିଲା ଭକ୍ତ ମାନଙ୍କର ପ୍ରବଳ ଭିଡ଼ । ମା’ଙ୍କ ସ୍ନାନ ଦେଖିବା ସହ ଦର୍ଶନ କରି ବେଶ ପ୍ରଶାନ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ ।

ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ତାରାତାରୀଣିଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମଯଜ୍ଞ ସହ ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହିତ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ପୋଲିସ ମୁତୟନ ହୋଇଛନ୍ତି ।