ବିଜେପି କରୁଛି କଂଗ୍ରେସର କଣ୍ଠରୋଧ: ଶାସକ ଦଳ ବିରୋଧରେ କଂଗ୍ରେସର ବଡ଼ ଅଭିଯୋଗ

ବିଜେପି କରୁଛି କଂଗ୍ରେସର କଣ୍ଠରୋଧ । ସର୍ବଦଳୀୟ ବୈଠକ ପୂର୍ବରୁ ଶାସକ ଦଳ ବିରୋଧରେ କଂଗ୍ରେସର ବଡ଼ ଅଭିଯୋଗ । ଗୃହରେ ସମସ୍ତଙ୍କୁ ସମାନ ସୁଯୋଗ ଦେବାକୁ ଦାବି । ଜବାବ ରଖିଲା ବିଜେପି । ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଶାସକ ଦଳ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଜୋର ଜବରଦସ୍ତ କଣ୍ଠରୋଧ କରୁଛି ଶାସକ ଦଳ । ଗତ ଅଧିବେଶନରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସର ବିଧାୟକମାନେ ହାଉସ କମିଟି ଦାବି କରିବା ପରେ ସରକାର ରକ୍ତମୁଖା ହୋଇଥିଲେ । କଂଗ୍ରେସର ସମସ୍ତ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିବା ବେଳେ ଅପମାନଜନକ ଭାବେ ପୋଲିସ ଲଗାଇ ବଳପୂର୍ବକ ବିଧାନସଭା ପରିସରରୁ ବିଦା କରିଦେଇ ଥିଲେ। ଯାହାକୁ ନେଇ ମୌସୁମୀ ଅଧିବେଶନର ଆରମ୍ଭ ପୂର୍ବରୁ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ମଙ୍ଗଳବାର ବାଚସ୍ପତିଙ୍କ ଅଧ୍ଯକ୍ଷତାରେ ବସୁଛି ସର୍ବଦଳୀୟ ବୈଠକ । ବିଧାନସଭାରେ କାହିଁକି କଂଗ୍ରେସ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିବ କଂଗ୍ରେସ ।

ସେପଟେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଅଧିବେଶନରେ ଆଣିବ ବୋଲି ଘୋଷାଣା କରିବା ପରେ ଏହାର କଡା ଜବାବ ଦେଇଛି ଶାସକ ବିଜେପି ଦଳ । ରାଜ୍ୟରେ କଂଗ୍ରେସର ପରିଚୟ ହଜିଯାଇଥିବାରୁ କଂଗ୍ରେସ ଏପରି ଅଭିଯୋଗ ଆଣୁଛି ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ବିଜେଡି କହିଛି ବିଜେଡି ବିରୋଧୀ ଦଳ ଭାବେ ଲୋକଙ୍କ ସ୍ବର ସାଜି ସମସ୍ୟାକୁ ଗୃହରେ ଉଠାଇବ ।  ସେପ୍ଟେମ୍ବର ୧୮ ତାରିଖରୁ ୨୫ ତାରିଖ ଯାଏ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି ।