ଏକାବେଳେ ୨୭ଟି ଶିଳ୍ପାନୁଷ୍ଠାନର ଭିତ୍ତି ପ୍ରସ୍ତର ସ୍ଥାପନ: ୫୨ ହଜାର ନିଯୁକ୍ତି ସୁଯୋଗ

ଏକାବେଳେ ୨୭ଟି ଶିଳ୍ପାନୁଷ୍ଠାନର ଭିତ୍ତି ପ୍ରସ୍ତର ସ୍ଥାପନ । ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜି ନିବେଶ । ୫୨ ହଜାର ନିଯୁକ୍ତି ସୁଯୋଗ । ୧୨ ଜିଲ୍ଲାରେ କେମିକାଲ, ଟେକ୍ସଟାଇଲ, ପ୍ଲାଷ୍ଟିକ, ସିମେଣ୍ଟ, ଫୁଡ୍ ପ୍ରୋସେସିଂ, ଫାର୍ମା ଭଳି କମ୍ପାନୀ ପ୍ରତିଷ୍ଠା ହେବ। ୧୫ମାସରେ ୧ ଲକ୍ଷ ୭ହଜାର ନିଯୁକ୍ତି ଦେଲେଣି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ୩୦ ହଜାର ସରକାରୀ ପଦବୀରେ ନିଯୁକ୍ତି ମିଳିଥିବା ବେଳେ, ଘରୋଇ କ୍ଷେତ୍ରରେ ୭୭ ହଜାର ନିଯୁକ୍ତି ଦିଆଯାଇଛି । ସରକାରଙ୍କ ସୁଦୃଢ ଭିତ୍ତିଭୂମି, ରାଜ୍ୟର ଦକ୍ଷ ମାନବସମ୍ବଳ, ସ୍ବତନ୍ତ୍ର ପଲିସି ଯୋଗୁ ଓଡ଼ିଶାକୁ ପସନ୍ଦ କରୁଛନ୍ତି ପୁଞ୍ଜିନିବେଶକାରୀ। ୪ ମାସରେ ଶିଳ୍ପ ପ୍ରତିଷ୍ଠା କରିବାର ସୁଯୋଗ ମିଳିଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏସ୍ଆରଏଫ୍ କମ୍ପାନୀ ମୁଖ୍ୟ।

୨୭ଟି ଶିଳ୍ପ ମଧ୍ୟରେ ଏସଆରଏଫ ଲିମିଟେଡ୍ କମ୍ପାନୀ ଗଞ୍ଜାମରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯାଉଛି । ଏହାଦ୍ୱାରା ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ଏପସିଲନ କାର୍ବନ ଝାରସୁଗୁଡାରେ ୫ ହଜାର ୮୦୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଯେଉଁଥିରେ ୨୫୦୦ ଜଣ ନିଯୁକ୍ତି ପାଇପାରିବେ। ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ରେୟାର ଆର୍ଥ ମିନେରାଲ ଶିଳ୍ପ ପ୍ରତିଷ୍ଠା କରିବ । ସାହସପୁର, ଗେଡିଆପଲ୍ଲୀ ଏବଂ ସାନ୍ତରାପୁରଠାରେ ୨ ହଜାର ୯୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ୍ । ଏବେ ଇଜ ଅଫ ଡୁଇଙ୍ଗ ବଦଳରେ ସ୍ପିଡ୍ ଅଫ୍ ଡୁଇଙ୍ଗ ଧାରାରେ ସରକାର ଚାଲୁଛି। ବିଜେପି ସରକାରରେ ଶିଳ୍ପ କ୍ଷେତ୍ରରେ ୭୭ ହଜାର ୮୯୪ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ, ସେଥିରୁ ୫୬ ହଜାର ୮୫୯ ଓଡ଼ିଆ ଯୁବକ ଯୁବତୀ ନିଯୁକ୍ତି ହୋଇଛନ୍ତି । ଉତ୍କର୍ଷ ଓଡ଼ିଶାରୁ ୩ ଲକ୍ଷ ୭୫ ହଜାର ନିଯୁକ୍ତି ଲକ୍ଷ୍ୟ ଥିବା ବେଳେ ଏବେ ସୁଦ୍ଧା ୨୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ସରକାର । ୧୬ ମାସରେ ୧୬ ବୈଠକ କରି ୨୬୯ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।