କୁଖ୍ୟାତ ମାଓନେତ୍ରୀ ଭାଚେଲା ମାତାମିଙ୍କ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ : ଆତ୍ମ ସମର୍ପଣ କଲେ କୁଖ୍ୟାତ ମାଓନେତ୍ରୀ ଭାଚେଲା ମାତାମି । ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ସେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗାରିଆବନ୍ଦ ପୋଲିସ ନିକଟରେ ମାଓ ନେତ୍ରୀ ଆତ୍ମସମର୍ପଣ କରିଛନ୍ତି । ସେ ମୃତ କୁଖ୍ୟାତ ମାଓବାଦୀ ସତ୍ୟମ ଗାୱାଡେଙ୍କ ପତ୍ନୀ ବୋଲି ଜଣାପଡିଛି । ଭାଚେଲା ମାତାମି ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ବେଳେ ସେ ୨୦୦୫ ମସିହାରୁ ନକ୍ସଲ ସଂଗଠନ ସହିତ ଜଡିତ ଥିଲେ । ସେ ପ୍ରେସ୍ ଏବଂ ପ୍ରଚାର କାର୍ଯ୍ୟଠାରୁ ଆରମ୍ଭ କରି କ୍ଷେତ୍ର କମିଟି ସଦସ୍ୟ, ଡେପୁଟି କମାଣ୍ଡର, କମାଣ୍ଡର ଏବଂ ଶେଷରେ ନାଗାରି କ୍ଷେତ୍ର କମିଟି ସଚିବ ଭାବେ କାର୍ଯ୍ୟ କରିଥିଲେ ।

୨୦୧୧ ମସିହାରେ ସେ ମାଓ ନେତା ତଥା ଡିଭିସିଏମ୍ ସତ୍ୟମ ଗାୱାଡେଙ୍କୁ ବିବାହ କରିଥିଲେ । ଦୁହେଁ ଦୀର୍ଘ ସମୟ ଧରି ମୈନପୁର ଡିଭିଜନରେ ନକ୍ସଲ କାର୍ଯ୍ୟକଳାପ ଚଳାଇଥିଲେ । ୨୦୧୪ ମସିହାରେ ଏକ ଏନକାଉଣ୍ଟରରେ ସତ୍ୟମ ଗାୱାଡେଙ୍କ ମୃତ୍ୟୁ ପରେ ମଧ୍ୟ ଜାନସି ସଂଗଠନରେ ରହିଥିଲେ । ମାଓ ସଙ୍ଗଠନ ନୀତି ଆଦର୍ଶ ହରାଇ ଦୁର୍ବଳ ହେଉଥିବା ଏବଂ ସୁରକ୍ଷା ବଳର ଘନ ଘନ ଅପରେସନ ଯୋଗୁଁ ସେ ସାଧାରଣ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ସରକାରୀ ନୀତି ନିୟମ ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।