ଆଜି ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା: ଏଥିପାଇଁ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିଳ୍ପନଗରୀ

ଆଜି ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା। ଏଥିପାଇଁ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିଳ୍ପନଗରୀ। ପାରାଦୀପ, ଅନୁଗୁଳ ଓ ରାଉରକେଲାରେ ବେଶ ଧୂମଧାମର ସହ ହେଉଛି ବିଶ୍ଵକର୍ମା ପୂଜା। ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ପ୍ରସ୍ତୁତ ହୋଇଛି।ପାରାଦୀପର ବିଶ୍ଵକର୍ମା ପୂଜାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପାରାଦୀପରେ ଦର୍ଶକଙ୍କ ସୂରକ୍ଷା ପାଇଁ ୪୦ ଟି ସିସିଟିଭି କ୍ୟାମେରା, ନେହେରୁବଙ୍ଗଳା ଓ ବାଲିଯାତ୍ରା ପଡ଼ିଆ ସମୁଦ୍ର ନିକଟରେ ବ୍ୟାପକ ପୋଲିସ ବ୍ୟବସ୍ଥା, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ସହିତ ପାଖାପାଖି ୨୦ ରୁ ଉର୍ଦ୍ଧ୍ୱ ମେଢ଼ ବା ତୋରଣ ନିକଟରେ ସୁରକ୍ଷାକୁ କଡାକଡି କରିବାକୁ ପ୍ରଶାସନକୁ କୁହାଯାଇଥିଲା। ଅନୁଗୁଳ ନାଲକୋ ନଗର ବିଶ୍ୱକର୍ମା ପୂଜାରେ ମଧ୍ୟ ବେଶ ଧୂମଧାନରେ ଆୟୋଜନ ହେଉଛି। ଏଠାରେ ପୂଜା ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥାଏ।