ରାଜ୍ୟରେ ପ୍ରଥମ ଥର ପାଇଁ BMC ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ

ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି । ଆସନ୍ତ ୨୫ ତାରିଖ ମଧ୍ୟରେ ସମୁଦାୟ ୬୭ ଟି ଓ୍ୱାର୍ଡରେ ଏହି ଗଣନା କାର୍ଯ୍ୟ ଚାଲିବ। ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୮ ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋର ୫ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏକ କାଳୀନ ୪୧୦ ଟି ଟିମ୍ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା କରିବେ। ଏହି କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟଗୁଡିକ ହେଲା କୁକୁର କାମୁଡ଼ିବା ହ୍ରାସ କରିବା, ରୋଗ ସଂକ୍ରମଣ ରୋକିବା, ଭୁକିବା, ପିଛା କରିବା ବା ପଛରେ ଗୋଡାଇବା , ସଡ଼କ ଦୁର୍ଘଟଣା, ପରିବେଶ ପ୍ରଦୂଷଣ ରୋକିବା ଏବଂ ବିଏମସି ଅଞ୍ଚଳରେ କୁକୁର ସଂଖ୍ୟାର ଘନତ୍ୱକୁ ଜାଣିବା। ଏନେଇ ଭୁବନେଶ୍ୱରବାସୀ କୁକୁର ଗଣନାକାରୀଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ମେୟର ଅପିଲ କରିଛନ୍ତି।