ଆଜି ଫ୍ରାନ୍ସରେ ପୁଣି ହେବ ଜୋରଦାର ପ୍ରତିବାଦ

ଆଜି ଫ୍ରାନ୍ସରେ ପୁଣି ହେବ ଜୋରଦାର ପ୍ରତିବାଦ। ପ୍ରାୟ ୮ ଲକ୍ଷ ଜନତାଙ୍କ ସମାଗମ ହେବା ସମ୍ଭାବନା ରହିଛି। ଦେଶବ୍ୟାପୀ ପ୍ରତିବାଦ ଲାଗି ପ୍ରସ୍ତୁତ ହେଉଛି ଫ୍ରାନ୍ସ।ରାଜରାସ୍ତାକୁ ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ଓହ୍ଲାଇବା ଆଶଂକା କରିଛି ପ୍ରଶାସନ। ଫ୍ରାନ୍ସର ବୃଦ୍ଧି ପାଉଥିବା ଋଣକୁ ହ୍ରାସ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଡ୍ରାଫ୍ଟ ବଜେଟ୍ ବିରୋଧରେ ପ୍ରତିବାଦ କରିବାକୁ ଟ୍ରେଡ୍ ୟୁନିଅନମାନେ ଫ୍ରାନ୍ସବାସୀଙ୍କୁ ଅନୁରୋଧ କରିଛନ୍ତି।ଆନ୍ଦୋଳନ ଦ୍ଵାରା ସଡ଼କ ପରିବହନ, ରେଳ ଓ ବିମାନ ସେବା ବାଧାପ୍ରାପ୍ତ ହେବା ସହ ଅନେକ ସ୍କୁଲ ବନ୍ଦ ରହିବା ଆଶଙ୍କା କରାଯାଉଛି।ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଗତ ସପ୍ତାହରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଘନିଷ୍ଠ ସହଯୋଗୀ ସେବାଷ୍ଟିଏନ ଲେକୋର୍ନୁଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। ଏହାପରେ ଯୋଜନାବଦ୍ଧ ଭାବେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏହି ପ୍ରଦର୍ଶନ କରିବାକୁ ସ୍ଥିର କରାଯାଇଛି।ରାଜନୈତିକ ଅଚଳାବସ୍ଥା ଏବଂ ଦରବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଉଥିବାରୁ ପ୍ରତିବାଦକାରୀ ଜନତାଙ୍କୁ ରାସ୍ତାକୁ ଆଣିବା ପାଇଁ ଟ୍ରେଡ୍ ୟୁନିଅନଗୁଡ଼ିକ ଆହ୍ଵାନ କରିଛନ୍ତି।ଆଜି ଦେଶର ବିଭିନ୍ନ ସ୍ଥାନରେ 250 ଶୋଭାଯାତ୍ରା ହେବା ନେଇ ଆଶଂକା କରାଯାଇଛି। ଏଥିରେ ସାମିଲ ହୋଇପାରନ୍ତି ୮ ଲକ୍ଷରୁ ଅଧିକ ଜନତା। ଏହା ପୂର୍ବରୁ ୨୦୨୩ରେ ଫ୍ରାନ୍ସରେ ସମାନ ଆନ୍ଦୋଳନ ହୋଇଥିଲା। ବିବାଦୀୟ ପେନସନ ସଂସ୍କାର ବିରୁଦ୍ଧରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସ୍ଥିତିକୁ ନେଇ ଫ୍ରାନ୍ସ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସାରା ଦେଶରେ ପ୍ରାୟ ୮୦ ହଜାରରୁ ଅଧିକ ପୋଲିସ ମୁତୟନ ହେବେ।