ଆମେରିକା ପୋଲିସ ଗୁଳିରେ ଭାରତୀୟ ଆଇଟି କର୍ମଚାରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଭାରତୀୟଙ୍କୁ ଗୁଳି ମାଡ଼ । ଆମେରିକାର କାଲିଫର୍ଣ୍ଣିଆରେ ୩୦ ବର୍ଷୀୟ ଭାରତୀୟ ଟେକି ମହମ୍ମଦ ନିଜାମୁଦ୍ଦିନଙ୍କୁ ପୋଲିସ ଗୁଳିକରି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି। ତେଲେଙ୍ଗାନାର ମହବୁବନଗରର ନିଜାମୁଦ୍ଦିନ ନିଜ ରୁମମେଟଙ୍କୁ ଚାକୁରେ ଆକ୍ରମଣ କରିଥିବା ଅଭିଯୋଗ ପରେ ପୋଲିସ ତାଙ୍କୁ ଗୁଳି କରିଥିଲା। ତେବେ ତାଙ୍କ ପରିବାର ଜାତିଗତ ହିଂସା ଓ ବୈଷମ୍ୟର ଅଭିଯୋଗ ଆଣି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ସାନ୍ତା କ୍ଲାରାରେ ନିଜାମୁଦ୍ଦିନଙ୍କ ଘରେ ଚାକୁ ଧରି ରୁମମେଟଙ୍କୁ ଆହତ କରୁଥିବା ଅବସ୍ଥାରେ ତାଙ୍କୁ ଦେଖାଯାଇଥିଲା। ୯୧୧ କଲ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଜାମୁଦ୍ଦିନଙ୍କୁ ଆଦେଶ ମାନିବାକୁ କହିଥିଲା, କିନ୍ତୁ ସେ ନମାନିବାରୁ ଗୁଳି ଚଳାଇଥିଲେ। ଗୁଳିବିଦ୍ଧ ନିଜାମୁଦ୍ଦିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ନିଜାମୁଦ୍ଦିନଙ୍କ ପରିବାର ଦାବି କରିଛନ୍ତି ଯେ ସେ ନିଜେ ସାହାଯ୍ୟ ପାଇଁ ପୋଲିସକୁ ଡାକିଥିଲେ। ଫ୍ଲୋରିଡାରୁ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ନିଜାମୁଦ୍ଦିନ ସାନ୍ତା କ୍ଲାରାରେ ଏକ ଟେକ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କ ପରିବାର କହିଛି, ସେ ଶାନ୍ତ ଓ ଧାର୍ମିକ ବ୍ୟକ୍ତି ଥିଲେ ଏବଂ ଜାତିଗତ ହିଂସା, ମଜୁରି ଠକେଇ ଓ ଅନୁଚିତ ବରଖାସ୍ତର ଅଭିଯୋଗ ସାର୍ବଜନୀନ ଭାବେ ଉଠାଇଥିଲେ।

ନିଜାମୁଦ୍ଦିନଙ୍କ ଏକ ଲିଙ୍କଡଇନ ପୋଷ୍ଟରେ ସେ ଲେଖିଥିଲେ, “ମୁଁ ଜାତିଗତ ଘୃଣା, ବୈଷମ୍ୟ, ହିଂସା, ମଜୁରି ଠକେଇ, ଅନୁଚିତ ବରଖାସ୍ତ ଓ ନ୍ୟାୟରେ ବାଧାର ଶିକାର ହୋଇଛି।” ସେ ଆହୁରି ଜାତିଗତ ବୈଷମ୍ୟ, ଖାଦ୍ୟରେ ବିଷ ମିଶାଇବା, ଉଚ୍ଛେଦ ଓ ଜଣେ ଡିଟେକ୍ଟିଭଙ୍କ ଦ୍ୱାରା ନିରନ୍ତର ନିରୀକ୍ଷଣ ଓ ଭୟଭୀତ କରାଯିବାର ଅଭିଯୋଗ କରିଥିଲେ।