ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ମହିଳା ନିର୍ଯାତନା : ପର୍ଯ୍ୟଟନ କ୍ଷେତ୍ର ବି ପାଲଟିଛି ନାରୀ ପିପାସୁଙ୍କ ଆଡ୍ଡା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନାରୀ ନିର୍ଯାତନା । ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ମହିଳା । ତେଣୁ ଆଇନକୁ କଡ଼ାକଡ଼ି ପାଳନ କରିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ପୁରୀ ଜିଲ୍ଲାରେ ବଳଙ୍ଗା ଓ ବାଲି ହରଚଣ୍ଡୀ ଘଟଣା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଘଟଣାକୁ ନେଇ ତୀବ୍ର ସମାଲୋଚନା କରିଛି ପୁରୀ ମହିଳା ବିଜେଡି । ଏପରିକି ଉପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଏନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଅସୁରକ୍ଷିତ ମହିଳା । ଦିନକୁ ଦିନ ବଢି ଚାଲିଛି ନିର୍ଯାତନା । ବଢୁଛି ଦୁଷ୍କର୍ମ, ହତ୍ଯା ପରି ଜଘନ୍ଯ କାଣ୍ଡ । ପର୍ଯ୍ଯଟନ କ୍ଷେତ୍ର ବି ପାଲଟି ନାରୀ ପିପାସୁଙ୍କ ଆଡ୍ଡା । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି । ସଚେତନ ସହ ଆଇନକୁ କଡ଼ାକଡ଼ି କରିବାକୁ ଦାବି । ସମଗ୍ର ରାଜ୍ୟରେ ପ୍ରତିଦିନ ମହିଳାମାନଙ୍କ ପ୍ରତି କିଛି ନା କିଛି ଅଘଟଣ ଘଟଣା ପ୍ରତିଦିନ ଖବରର ଶିରୋନାମା ସାଜୁଛି । ନାରୀ ସୁରକ୍ଷା ପାଇଁ ଅନେକ ଆଇନ ଥିବା ସତ୍ତ୍ବେ ଏହାକୁ ଠିକଭାବେ କାର୍ଯ୍ୟକାରୀ କରାଯାଉ ନାହିଁ । ସମାଜ କଲ୍ୟାଣ ଦିଗରେ ମହିଳା ସୁରକ୍ଷା ଏକ ପ୍ରମୁଖ କାର୍ଯ୍ୟ ହୋଇଥିବା ବେଳେ ଏ ଦିଗରେ ସରକାର ପଦକ୍ଷେପ ନେବାର ଆବଶ୍ଯକତା ରହିଛି । ଏଥିପାଇଁ ବ୍ୟାପକ ଜନ ସଚେତନତା ସହ ନାରୀ ସୁରକ୍ଷା ଆଇନକୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରିବାକୁ ବିଭିନ୍ନ ମହଲରେ ଉଠିଛି ଦାବି।

ପୁରୀ ଜିଲ୍ଲାରେ ବଳଙ୍ଗା ଓ ବାଲି ହରଚଣ୍ଡୀ ଘଟଣା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏପରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଯାହାକୁ ନେଇ ମହିଳା ବିଜେଡି ବିକ୍ଷୋଭ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି । ପୂର୍ବ ସରକାରଙ୍କ ସମୟରେ ମହିଳାଙ୍କୁ ଯଥେଷ୍ଟ ସମ୍ମାନ ମିଳୁଥିଲା । ଏବେ ମହିଳାମାନେ କେଉଁଠି ନିଜକୁ ସୁରକ୍ଷିତ ମଣୁ ନଥିବା ଦଳ ଅଭିଯୋଗ କରିଛି । ଘଟଣା ବହୁଳ ସମାଜରେ ନାରୀ ନିର୍ଯାତନାକୁ ନେଇ ଆଇନ ଅନୁଯାୟୀ କଡ଼ା ଦଣ୍ଡବିଧାନ ପାଇଁ ପ୍ରଶାସନିକ ପଦକ୍ଷେପର ଆବଶ୍ୟକତା ରହିଛି । ଏହାଦ୍ବାରା ନାରୀ ହିଂସାକୁ ରୋକାଯାଇ ପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।