ବିଧାନସଭାରେ ସାର ତାତି : ଗୃହରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଓ ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ବିଧାନସଭାରେ ସାର ତାତି । ପ୍ରଶ୍ନୋତ୍ତରକାଳ ଆରମ୍ଭରୁ ବିଜେଡି ଚାଷୀଙ୍କ ପାଇଁ ଗୃହରେ ପ୍ରତିବାଦ କରିଛି । ସାର ଦୁର୍ନୀତି ଅଭିଯୋଗରେ ପ୍ରଶ୍ନୋତ୍ତରକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଛି । ସାର କଳାବଜାରୀ କଥା ସରକାର ମାନିଥିଲେ ମଧ୍ୟ କାହିଁକି ଚାଷୀଙ୍କୁ ଚାଷ ସମୟରେ ସାର ଯୋଗାଇ ଦିଆଯାଉନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି । କଂଗ୍ରେସ ମଧ୍ୟ ନିଜ ଆସନରେ ଛିଡାହୋଇ ପ୍ରତିବାଦ କରିଛି । ବିଜେପି କିନ୍ତୁ ଚିରାଚରିତ ଢଙ୍ଗରେ ଉତ୍ତର ଦେଇଛି ଆବଶ୍ୟକ ସାର ମହଜୁଦ ଅଛି । ସାର କଳାବଜାରୀ ସମସ୍ୟା ଚାଲିଥିବାବେଳେ ଚାଷୀଙ୍କୁ ନେଇ ବିଜେପି ବିଧାୟକ ଅଗସ୍ତି ବେହେରା ଦେଇଛନ୍ତି ବିବାଦୀୟ ବୟାନ । ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ସାର କଳାବଜାରୀକୁ ନେଇ ବିଧାନସଭା ହୁଲସ୍ତୁଲ । ଧୋଇଗଲା ଦ୍ବିତୀୟ ଦିବସ । ଗୃହରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଓ ନାରାବାଜି । ପ୍ରଶ୍ନକାଳ ବାତିଲ କରି ସାର ପାଇଁ ସ୍ବତନ୍ତ୍ର ଆଲୋଚନା ଦାବି । କଂଗ୍ରେସର ବି ସରକାରଙ୍କୁ ଟାର୍ଗେଟ । ଶାସକ ଦଳର ଚିରାଚରିତ ଉତ୍ତର । ସାର ତାତିରେ ସାରାଦିନ ଗୃହ ଠପ । କାଲିଯାଏଁ ମୁଲତବୀ । ଦିନଯାକ ଚାଲିପାରିଲାନି ଗୃହ । ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ପ୍ରତିବାଦ। ସାର କଳାବଜାରୀ ଚଳିବ ନାହିଁ, ପ୍ରଶ୍ନକାଳ ବାତିଲ କରି କର ଆଲୋଚନା । ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟରେ ସାର ସଙ୍କଟ ନେଇ ଚାଷୀ ହନ୍ତସନ୍ତ ହୋଇଥିବାରୁ ବିଜେଡି ବିଧାନସଭାରେ ଏହାର ଜୋରଦାର ପ୍ରତିବାଦ କରିଛି । କଂଗ୍ରେସ ନିଜ ଆସନରେ ଠିଆ ହୋଇ ସରକାରଙ୍କ ଚାଷୀମାରଣା ନୀତି ବିରୋଧରେ ପ୍ରତିବାଦ କରିଛି । ସାର ପ୍ରସଙ୍ଗରେ ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ବିରୋଧୀ ସାର ସଂସକଟକୁ ନେଇ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଥିଲେ । ତେବେ ଚାଷୀ ପ୍ରସଙ୍ଗରେ ସରକାରଙ୍କ ଏପରି ଆଭିମୁଖ୍ୟ ନେଇ ଗୃହ ବାହାରେ ବର୍ଷିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର କହୁଛନ୍ତି ସାର ମହଜୁଦ ଅଛି । ତେବେ ଚାଷୀଙ୍କୁ କାହିଁକି ସରକାର ସାର ଦେଉନାହାଁନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ । ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ବିଜେଡି ଦାବି କରିଥିଲା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ସରକାରଙ୍କୁ ବିଜେଡି ଚେତାବନୀ ଦେଇ କହିଛି, ପ୍ରଶ୍ନକାଳ ବାତିଲ କରି ସାର ଆଲୋଚନା କରାନଗଲେ ବିଜେଡି ବିଧାନସଭା ଚଳାଇଦେବ ନାହିଁ ।

ସାର ସମସ୍ୟା ଚାଲିଥିବାବେଳେ ଚାଷୀଙ୍କୁ ନେଇ ବିଜେପି ବିଧାୟକ ଅଗସ୍ତି ବେହେରା ଏକ ବିବାଦୀୟ ବୟାନ ଦେଇଛନ୍ତି । ସମବାୟ ସମିତି ଆଗରେ ଜାଲ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି ବୋଲି ସେ କହିଛନ୍ତି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ବିଜେପି ହେଉଛି ଶିଳ୍ପପତିଙ୍କ ସରକାର । ତେଣୁ ଚାଷୀଙ୍କ ପ୍ରତି ତାଙ୍କର କୌଣସି  ସହାନୁଭୂତି ନାହିଁ । କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଚାଷୀ ସାର ପାଉନି । ସବୁଠି ହାହାକାର । ବିଧାନସଭାରେ ଆଲୋଚନା ହୋଇଥିଲେ ସମାଧାନ ବାହାରିଥାନ୍ତା । ସାର ଅଭାବ ପ୍ରସଙ୍ଗରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ଘେରିବା ପରେ ଅକଳରେ ପଡିଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି ଆଗାମୀ ଦିନରେ ଗୃହ ଚାଲିବ ତ ?