ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ନାହାନ୍ତି ଛାତ୍ରୀ : ସ୍କୁଲଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ସବୁଠି ବିପଦ

ନନ୍ଦିଘୋଷ ବ୍ୟୁରୋ : ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ଅଡୁଆରେ ସରକାର। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଲଟିଛି ମୁଖ୍ୟ ପ୍ରସଙ୍ଗ। ସ୍କୁଲରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ, ସବୁଠି ଅସୁରକ୍ଷିତ ଛାତ୍ରୀ। ବିଧାନସଭାରେ ରାଜ୍ୟ ସରକାରଙ୍କ ଲିଖିତ ଉତ୍ତର ଏହାକୁ ସ୍ପଷ୍ଟ କରିଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ବିଧାୟକ। ଯେଉଁଠି ପଦାରେ ପଡ଼ିଛି ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଅପାରଗତା। ବାରମ୍ବାର ନାରୀ ସୁରକ୍ଷାକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଅଣଦେଖା କରୁଥିବା ସରକାର ଏବେ ବ୍ୟାକଫୁଟରେ ପଡିଛନ୍ତି।
କେଉଁଠି ଆଦିବାସୀ ସ୍କୁଲରେ ନାବାଳିକା ଛାତ୍ରୀ ଗର୍ଭବତୀ ହେଉଛନ୍ତି ତ ଆଉ କେଉଁଠି ଅଧ୍ୟାପକ ଫେଭର ମାଗିବାରୁ ଆତ୍ମାହୁତି ଦେଉଛନ୍ତି ଛାତ୍ରୀ। ବିଧାନସଭାରେ ପଦାରେ ପଡ଼ିଛି ରାଜ୍ୟରେ ଛାତ୍ରୀ ସୁରକ୍ଷାର ବିକଳ ଚିତ୍ର। ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଯେ ଛାତ୍ରୀ ଅସୁରକ୍ଷିତ, ଏହାକୁ ବିଧାନସଭାରେ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ବିଜେପି ସରକାର ଆସିବା ପରଠାରୁ ରାଜ୍ୟର ୧୭ଟି ବିଶ୍ବବିଦ୍ୟାଳୟରୁ ୬ଟି ବିଶ୍ୱବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି। ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ୨ ଜଣ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରାଯାଇଛି। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଜରିଆରେ ଏହାକୁ ସ୍ୱୀକାର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉତ୍କଳ ବିଶ୍ଵବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ରହିଛି। ଯେଉଁଥରୁ ତିନୋଟି ଯୌନ ନିର୍ଯାତନା, ଗୋଟିଏ ଅଶ୍ଳୀଳ ଭାଷା ପ୍ରୟୋଗ ଓ ଅନ୍ୟଟି ମାନସିକ ନିର୍ଯାତନା ମାମଲା। ସେହିପରି ବାଣୀବିହାରରେ ରହିଛି ହଷ୍ଟେଲ ସୁରକ୍ଷା ପ୍ରସଙ୍ଗ। ଫକିର ମୋହନ ବିଶ୍ବବିଦ୍ୟାଳୟରେ ତିନୋଟି ମାନସିକ ନିର୍ଯାତନା, ଗଙ୍ଗାଧର ମେହେରରେ ଗୋଟିଏ ଯୌନ ନିର୍ଯାତନା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଗୋଟିଏ ମାନସିକ ନିର୍ଯାତନା ଓ ଅସଦାଚରଣ, ରେଭେନ୍ସାରେ ୩ଟି ମାନସିକ ନିର୍ଯାତନା ଅଭିଯୋଗ ରହିଛି। ଏଥିରୁ ବାଦପଡ଼ିନି ଏକକ ମହିଳା ବିଶ୍ୱବିଦ୍ୟାଳୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ଯୌନ ନିର୍ଯାତନା ଯୋଗୁଁ ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ମହିଳା ବିଶ୍ୱବିଦ୍ୟାଳୟରେ ମଧ୍ୟ ଅସୁରକ୍ଷିତ ଅଛନ୍ତି ଛାତ୍ରୀ। ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟର ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନା ନେଇ ୩୨ଟି ମାମଲା ରୁଜୁ ହେଇଛି। କନ୍ଧମାଳ ବାଲିଗୁଡା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି। ସେହିପରି ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ ଓ ପୁଷ୍ପମଞ୍ଜରୀ ହାଇସ୍କୁଲ ଗୁରୁଣ୍ଡିଆ ବିରୋଧରେ ୨ଟି ଲେଖାଏଁ ମାମଲା ରହିଛି।
ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ ସ୍କୁଲ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଗଂଜାମ, କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଦୁଇଟି ଲେଖା ମାମଲା ରହିଛି। ଛାତ୍ରୀ ଅସୁରକ୍ଷିତ ନେଇ ବିଧାନସଭାରେ ସରକାର ତଥ୍ୟ ଦେବା ପରେ ଅକଳରେ ପଡ଼ିଛି ବିଜେପି। ଓଲଟି ଛାତ୍ରୀ ଅସୁରକ୍ଷିତ ନୁହନ୍ତି ବୋଲି କହି ଦୋଷ ଲୁଚାଇବାକୁ ଆପ୍ରାଣ ଉଦ୍ୟମ କରୁଛି ବିଜେପି। ଗତ ଦେଢ଼ ବର୍ଷ ଭିତରେ ବିଭିନ୍ନ କ୍ଷେତ୍ରରେ ନାରୀ ସୁରକ୍ଷା ପ୍ରସଙ୍ଗ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଆଗକୁ ସରକାର ଏ ଦିଗରେ ପଦକ୍ଷେପ ନ ନେଲେ, ପୁଣି ଥରେ ସଶକ୍ତ ନାରୀ ଘରର ଚାରି କାନ୍ଥ ଭିତରକୁ ଠେଲି ହେବାର ଆଶଙ୍କା ଉପୁଜିଥିବା ନେଇ ଚର୍ଚ୍ଚା ଜୋର ଧରିଲାଣି।