ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଏକାଧିକ ଲକ୍ଷ୍ମୀ ବସଷ୍ଟାଣ୍ଡ

ଅଧପନ୍ତରିଆ ଲକ୍ଷ୍ମୀ ବସଷ୍ଟାଣ୍ଡ । କେଉଁଠି ଚାରିପଟେ ଗଛ ଉଠି ଜଙ୍ଗଲ ହୋଇଗଲାଣି ତ କେଉଁଠି ଅଧାଗଢ଼ା ହୋଇ ପଡିଛି । ଏ ହେଉଛି ନବରଙ୍ଗପୁର ଜିଲ୍ଲାର ଏକାଧିକ ଲକ୍ଷ୍ମୀ ବସଷ୍ଟାଣ୍ଡର ଭାଗ୍ୟ। ଦୁର୍ଗମ ଅଞ୍ଚଳରୁ ସହର ସହିତ ଯୋଡି ଗମନାଗମନରେ ଉନ୍ନତି ଆଣିବା ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ସେବା । ଏହାଦ୍ୱାରା ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ ଓ ଅନ୍ୟ ମହିଳାମାନେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ସହଜରେ ଯାତାୟାତ କରିପାରୁଥିଲେ । ଜିଲ୍ଲାରେ ୪୫ଟି ବସ ଯୋଗାଇଦିଆଯାଇଛି । ତେବେ କେତେବେଳେ ଲକ୍ଷ୍ମୀ ବସଷ୍ଟାଣ୍ଡର ଖର୍ଚ୍ଚକୁ ନେଇ ତ ଆଉ କେତେବେଳେ ବସର ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦରେ ଛନ୍ଦି ହୋଇପଡିଛି ଏହି ଯୋଜନା । ଏଠାର ସ୍ୱତନ୍ତ୍ର ଭାବେ ଲକ୍ଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା । ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିଲା । ଅନେକ ସ୍ଥାନରେ ନିର୍ମାଣ କାମ ସରିଯାଇଥିବା ବେଳେ ଅନେକ ସ୍ଥାନରେ ନିର୍ମାଣ କାମ ଅଧପନ୍ତରିଆ ହୋଇପଡିଛି । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।
କେବଳ ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନ କରି ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଓ ଠିକାଦାରଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଦାବି କରିଛି ଜିଲ୍ଲା ବିଜେଡି । ଏହାସହ ଖୁବଶୀଘ୍ର ଏହି ବସ ଷ୍ଟାଣ୍ଡ ନିର୍ମାଣ କାମ ସାରିବାକୁ ଦାବି କରିଛି ଦଳ । ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦିଆଯାଇଛି । ଅନ୍ୟ ପଟେ ଜିଲ୍ଲାସ୍ତରୀୟ ଅଧିକାରୀ ଏହାକୁ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।