ଲୋକଙ୍କୁ ଘାରିଛି ରାତାରାତି ଧନୀ ହେବାର ନିଶା: ସୁଯୋଗ ଉଠାଇ ଲୁଟୁଛନ୍ତି ସାଇବର ଲୁଟେରା
1 min read
ଲୋକଙ୍କୁ ଘାରିଛି ରାତାରାତି ଧନୀ ହେବାର ନିଶା । ସୁଯୋଗ ଉଠାଇ ଲୁଟୁଛନ୍ତି ସାଇବର ଲୁଟେରା । ବେଆଇନ ଅଫିସ ଖୋଲି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ଠକ । କଟକ LG-LF ୱର୍କ ନାମକ ଏମିତି ଏକ ସଂସ୍ଥା ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ୩ ମାସତଳେ ଦେଉଳି ସାହିରେ ଅଫିସ ଖୋଲିଥିଲା ସଂସ୍ଥା । ପ୍ରଥମେ ପ୍ରଥମେ ଗ୍ରାହକମାନଙ୍କୁ ଏକ ଆପ୍ ଡାଉନଲୋଡ କରାଇ ସେଥିରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇ ଥିଲା । ଲୋକମାନେ ଟଙ୍କା ଲଗାଇବା କ୍ଷଣି ଦିନେ ଦୁଇଦିନ ମଧ୍ୟରେ ଭଲ ରିଟର୍ଣ୍ଣ ମଧ୍ୟ ପାଇଥିଲେ । ଚେନରେ ଅନ୍ୟ ଲୋକଙ୍କୁ ସାମିଲ କରି ଜମା ରାଶିର ୫୦ ପ୍ରତିଶତ କମିଶନ ମଧ୍ୟ ପାଇଲେ । ଅଧିକ ଅର୍ଥ ଲଗାଇଲେ ଅଧିକ ଲାଭର ଲୋଭ ଦେଲା କମ୍ପାନୀ । ଲୋଭରେ ପଡ଼ି କଟକ ଓ ଚୌଦ୍ଵାର ଅଞ୍ଚଳର ଶତାଧିକ ଲୋକ ଏଥିରେ କୋଟି କୋଟି ଟଙ୍କା ବିନିଯୋଗ କରିଥଇଲେ । ତେବେ ଗତ ମଙ୍ଗଳବାର ଠାରୁ ଆଉ ଆପ ଖୋଲୁନି । କେୱାଇସି ଅପଡେଟ କଲେ ବି ଉଠୁନି ଟଙ୍କା । ଏନେଇ ସାଇବର ଓ ବିଡ଼ାନାସୀ ଥାନାରେ ଅଭିଯୋଗ କରିଛନ୍ତି ଲୋକେ ।
କମ୍ପାନୀ ସେବି ଅଧିନରେ ରହିଛି ଓ ରେଟିଂ ଭଲ ଅଛି ବୋଲି କହି ଲୋକଙ୍କ ବିଶ୍ବାସ ଜନ୍ମାଇଥିଲା ସଂସ୍ଥା । ହେଲେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ଲୋକେ ଥାନାରେ ଅଭିଯୋଗ କରିବା ସହ ତାଙ୍କ ଟଙ୍କା ଫେରାଇ ଆଣିବାକୁ ଅପିଲ କରିଛନ୍ତି । ବିଡାନାସୀ ପୋଲିସ ଠକେଇର ଶୀକାର ହୋଇଥିବା ଲୋକଙ୍କୁ ବୁଝାସୁଝା କରି ସାଇବର ଥାନାକୁ ପଠାଇ ଥିଲେ । ସେଠାରେ ବିଧିବଦ୍ଧ ଅଭିଯୋଗ କଲାପରେ ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଥିଲେ । ସେପଟେ ଏହି ଘଟଣା ପରେ ଭୟରେ କମ୍ପାନୀର ଦୁଇଜଣ କର୍ମଚାରୀ ଥାନାରେ ଆତ୍ମସମର୍ପଣ କରିଛନ୍ତି ।