କଦଳୀ ଚାଷରୁ ଲକ୍ଷ ଲକ୍ଷ ରୋଜଗାର
1 min read
ନନ୍ଦିଘୋଷ ବ୍ୟୁରୋ: ରୋଜଗାର ଦେଉଛି କଦଳୀ ଚାଷ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ୧୦ଟି ପଞ୍ଚାୟତରେ ୬୨୫ ହେକ୍ଟର ଜମିରେ ହୋଇଛି କଦଳୀ ଚାଷ । କଦଳୀ ଚାଷ କରି ଲାଭବାନ ହେଉଛନ୍ତି ଅନେକ ଚାଷୀ । ସରକାର କଦଳୀର ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି ।
ଲାଭ ଦେଉଛି କଦଳୀ ଚାଷ । ନିଜସ୍ଵ ଉଦ୍ୟମରେ ଚାରା ଲଗାଇ ସ୍ଵାବଲମ୍ବୀ ଚାଷୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଗାଁରେ କଦଳୀ ଚାଷ କରି ଲାଭବାନ ଚାଷୀ । ଛେଣ୍ଡିପଦା ବ୍ଲକର ନୂଆଗାଁ, ତଣ୍ଟୁଲୋଇ, କଣଲୋଇ, କୁକୁରପେଟା, ବ୍ରାହ୍ମଣବିଲ ଆଦି ୧୦ଟି ପଞ୍ଚାୟତରେ ୬୨୫ ହେକ୍ଟର ଜମିରେ କଦଳୀ ଚାଷ କରିଛନ୍ତି ଚାଷୀ । ଅନୁଗୁଳ, ସମ୍ବଲପୁର, ତାଳଚେର ଅଂଚଳର ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଚାଷୀଙ୍କ ବଗିଚାକୁ ଯାଇ କଦଳୀ କିଣିନେଉଛନ୍ତି । ଅଳ୍ପ ପରିଶ୍ରମରେ କଦଳୀ ଚାଷରୁ ଭଲ ଲାଭ ମିଳୁଥିବାରୁ ଚାଷୀ ବେଶ ଖୁସି ହେଉଛନ୍ତି ।
ଛେଣ୍ଡିପଦା ବ୍ଲକରେ ୬୨୫ ହେକ୍ଟର ଜମିରେ ଚାଷୀ କଦଳୀ ଚାଷ କରିଥିବା ବେଳେ ସରକାର ଏକ ହେକ୍ଟର କଦଳୀ ଚାଷ ପିଛା ୩୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ କଦଳୀ ଚାଷୀଙ୍କୁ କୌଣସି ସହାୟତା ମିଳୁନାହିଁ l ଏପରିକି ଚାଷୀ ମାନଙ୍କୁ ଉପଯୁକ୍ତ ବଜାର ସୁବିଧା ମିଳୁ ନଥିବାରୁ ଚାଷୀ କ୍ଷତି ସହୁଥିବା କହିଛନ୍ତି ।