ଆମେରିକାରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଟେକ୍ସାସରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ। ଷ୍ଟାଚ୍ୟୁ ଅଫ ୟୁନିଅନ ନାମରେ ଏହି ପ୍ରତିମୂର୍ତ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ଜଣେ ନେତାଙ୍କ ବୟାନ ସୃଷ୍ଟି କରିଛି ତୀବ୍ର ପ୍ରତିକ୍ରିୟା। ଟାରିଫ ଓ ଭିସା ବୃଦ୍ଧି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ବିଶେଷ ଭଲ ନଥିବାବେଳେ ରିପବ୍ଲିକାନ ନେତାଙ୍କ ଭଗବାନ ବିରୋଧୀ ବୟାନ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଗତବର୍ଷ ଅଗଷ୍ଟରେ ଉଦଘାଟିତ ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ରିପବ୍ଲିକାନ ନେତା ଆଲେକଜାଣ୍ଡାର ଡଙ୍କାନ ଆମେରିକାକୁ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ବୋଲି କହିବା ପରେ ହନୁମାନଙ୍କ ମୂର୍ତ୍ତି ସମ୍ପର୍କରେ କିଛି ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହା ସହ ଟେକ୍ସାସରେ ହିଁ କାହିଁକି ହନୁମାନଙ୍କ ପ୍ରତିମୂର୍ତ୍ତି ନିର୍ମିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଟେକ୍ସାସରୁ ସିନେଟ ସଦସ୍ୟ ଲାଗି ସେ ନିର୍ବାଚନ ଲଢୁଛନ୍ତି। ଡଙ୍କାନଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି ହିନ୍ଦୁ ଆମେରିକାନ ଫାଉଣ୍ଡେସନ ଓ ଇଣ୍ଡିଆନ ଆମେରିକାନସ। ଏହା ହିନ୍ଦୁ ବିରୋଧୀ ଓ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ବୋଲି ଦୁଇ ସଂଗଠନ କହିଛନ୍ତି।