ମହାନଦୀରେ ବନ୍ୟା ଆଶଙ୍କା, ୨୭ ସକାଳେ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ

ନନ୍ଦିଘୋଷ ବ୍ୟୁରୋ : ମହାନଦୀରେ ବନ୍ୟା ଆଶଙ୍କା। ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ। ଏହାର ପ୍ରଭାବରେ ଶାଖା ନଦୀଗୁଡିକ ମଧ୍ୟ ଫୁଲିବ ବୋଲି ଆଶଂକା କରିଛି ଜଳ ସଂପଦ ବିଭାଗ । ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ଟି ସ୍ଥାନରେ ୧୦୦ ମିଲିମିଟର ବର୍ଷା ହୋଇଛି । ଖଇରମାଳରେ ୮୨ ମିଲିମିଟର ବର୍ଷା ହୋଇଥିବାବେଳେ ତେଲ ନଦୀରେ ୩୩ ମିଲିମିଟର ବର୍ଷା ହୋଇଛି ।
ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଏବେ ୩ ଲକ୍ଷ ୨୦ ହଜାର କ୍ୟୁସେକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ପାଣି ୬୨୯.୮୯ ଫୁଟରେ ରହିଛି । ୧୬ଟି ଗେଟରେ ପାଣି ନିଷ୍କାସନ ହେଉଛି । ଫଳରେ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେଣୁ ୨୭ ତାରିଖ ସକାଳୁ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ ମୁଣ୍ଡଳୀରେ ପ୍ରବାହିତ ହେବ। ମୁଣ୍ଡଳୀରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ। ଏବେ ସେଠାରେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛି ଜଳ ସଂପଦ ବିଭାଗ ।
ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ବିଭାଗ କହିଛି । ବନ୍ଧବାଡ଼ର ତଦାରଖ କରାଯାଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ବିପଦ ସଂକେତ ନିକଟରେ ଜଳସ୍ତର ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ଆଗକୁ ଆଉ ଏକ ଲଘୁଚାପ ଅଛି । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।