୬୨ ହଜାର କୋଟି ଟଙ୍କାର ଡିଲ: ବାୟୁସେନାକୁ ମିଳିବ ୯୭ ତେଜସ୍, ପାକିସ୍ତାନ ଓ ଚୀନ ଛାନିଆ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତର ଆକାଶ ସୀମାକୁ ଅଭେଦ୍ୟ କରିବେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଫାଇଟର ଜେଟ୍ ତେଜସ୍ । ଆଖି ପିଛୁଳାକେ ଉଡାଇ ଦେବେ ଶତ୍ରୁଙ୍କ ବିମାନ । କାରଣ ଭାରତୀୟ ବାୟୁସେନାକୁ ମିଳିବାକୁ ଯାଉଛି ୯୭ ତେଜସ୍ । ଏଥିପାଇଁ ୬୨ ହଜାର ୩୭୦ କୋଟି ଟଙ୍କାର ମେଗା ଡିଲ ଉପରେ ମୋହର ମାରିଛନ୍ତି ଭାରତ ସରକାର । ପ୍ରତିରକ୍ଷା ମନ୍ତ୍ରାଳୟ ହାଲ ସହ ୯୭ ତେଜସ୍ ଲାଇଟ କମ୍ବାକ୍ଟ ଏୟାରକ୍ରାଫ୍ଟ (LCA Mk-1A) କିଣିବାକୁ ଚୁକ୍ତି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି (CCS)ରୁ ମଞ୍ଜୁରି ମିଳିବାର ଏକ ମାସ ପରେ ହୋଇଛି । ଏହା ପୂର୍ବରୁ ୨୦୨୧ରେ ସରକାର ୮୩ ତେଜସ୍ ପାଇଁ ୪୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲେ ।

୮୩ ପରେ ୯୭ ତେଜସ୍ ଭାରତୀୟ ବାୟୁସେନାକୁ ମିଳିବାକୁ ଯାଉଥିବା ଖବର ପାଇବା ପରେ ପଡ଼ୋଶୀ ପାକିସ୍ତାନ ଓ ଚୀନ ପରି ଦେଶଙ୍କ ମନରେ ଛନକା ପଶିଯାଇଛି । କାରଣ ତେଜସର ଜଲଓ୍ବା ସାରା ବିଶ୍ବ ଦେଖି ସାରିଛି ଓ ବିଭିନ୍ନ ସାମରିକ ପ୍ରଦର୍ଶନୀରେ ତେଜସ୍ ନିଜର ପାରଦର୍ଶିତା ଦେଖାଇ ସମସ୍ତଙ୍କୁ ଚକିତ କରିଛି । ଆଉ ଏବେ ଭାରତୀୟ ବାୟୁସେନା ପାଇଁ ୯୭ ତେଜସ୍ ଆସୁଥିବା ଖବର ଶତ୍ରୁଙ୍କ ନିଦ ହଜାଇ ଦେଇଛି ।

ତେଜସ୍ ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ମଲ୍ଲଯି ରୋଲ୍ ଫାଇଟର ଜେଟ୍ । ଯାହା ଯେକୌଣସି ପରିସ୍ଥିତିରେ ଉଡ଼ାଣ ଭରିବାକୁ ସକ୍ଷମ । ଏଥିରେ ଆଧୁନିକ ସ୍ବୟଂ ରକ୍ଷା କବଚ ସିଷ୍ଟମ ଓ ଅତ୍ୟାଧୁନିକ କଣ୍ଟ୍ରୋଲ ଆକ୍ଟୁଏଟର୍ସ ରହିବ । ଏହି ଭର୍ଜନରେ ୬୪ ପ୍ରତିଶତରୁ ଅଧିକ ଇଣ୍ଡିଜିନସ କଣ୍ଟେଟ ଓ ୬୭ ପ୍ରତିଶତ ଅତ୍ୟାଧୁନିକ ଟେକ୍ନୋଲଜି ସାମିଲ କରାଯାଉଛି । ତେଜସ୍ କେବଳ ଏୟାର ଡିଫେନ୍ସରେ ସିମିତ ରହିବନି ବରଂ ଏହା ମେରିଟାଇମ୍ସ ରିକୋନସେସ୍ ଓ ସଠିକ ଭାବେ ଆକ୍ରମଣ କରିବାକୁ ସକ୍ଷମ ।

ରିପୋର୍ଟ ଅନୁସାରେ ତେଜସ୍ Mk-1Aର ଡେଲିଭରି ୨୦୨୭-୨୮ରୁ ଆରମ୍ଭ ହେବ । ଏହି ସିଂଗିଲ ଇଞ୍ଜିନ ଜେଟ୍ ଭାରତୀୟ ବାୟୁସେନାରେ ପୁରୁଣା ହୋଇ ସାରିଥିବା MiG-21 ବେଡାର ସ୍ଥାନ ନେବ ।