ସରକାରଙ୍କ ବିଫଳତାକୁ ନେଇ ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଜନସଂପର୍କ ପଦଯାତ୍ରା ପାଇଁ ଆଜି ଶଂଖ ଭବନରେ ବିଜୁ ଜନତା ଦଳ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ଏଥର ମାସେ ବ୍ୟାପୀ ପଦଯାତ୍ରା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯାହା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ଦୁଇ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ଏବଂ ସରକାରଙ୍କ ବିଫଳତା ନେଇ ରାଜ୍ୟବାସୀଙ୍କୁ ସଚେତନ କରାଯିବ । ପୂର୍ବରୁ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ବିଜେଡି ପଦଯାତ୍ରା କରୁଥିଲା । ଆବଶ୍ୟକ ପଡ଼ିଲେ, ଏହାକୁ ଦ୍ବିତୀୟ ପର୍ଯ୍ୟାୟରେ ପରିବର୍ଦ୍ଧିତ ଜନସଂପର୍କ ପଦଯାତ୍ରାରେ ସଂପ୍ରସାରିତ କରୁଥିଲେ ବିଜୁ ଜନତା ଦଳ ।

ପ୍ରତିବର୍ଷ ପରି ଚଳିତବର୍ଷ ବି ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା । ହେଲେ ଏଥର ୯ ଦିନ ନୁହେଁ ଏହା ମାସେ ବ୍ୟାପୀ ଚାଲିବ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହାକୁ ନଭେମ୍ବର ଦୁଇ ଯାଏଁ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପଦଯାତ୍ରା ପ୍ରାରମ୍ଭିକ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ଚାଲୁଥିଲା । ତେବେ ବିଭିନ୍ନ ସମୟରେ ଲୋକଙ୍କ ଆଗ୍ରହ, ପର୍ବପର୍ବାଣୀ ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହାକୁ ପରିବର୍ଦ୍ଧିତ କରେ ବିଜୁ ଜନତା ଦଳ । ଚଳିତ ଥର ପ୍ରଥମରୁ ହିଁ ଏହାକୁ ମାସେ ବ୍ୟାପୀ କରିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ଜନଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ସରକାରଙ୍କ ବିଫଳତା ନେଇ ଅଧିକରୁ ଅଧିକ ଲୋକଙ୍କୁ ଜନସଂପର୍କ ପଦଯାତ୍ରା ମାଧ୍ୟମରେ ସଚେତନ କରିବ ବିଜେଡି ।

ବିଜେପି ସରକାର ବିରୋଧରେ ମାଳମାଳ ଅଭିଯୋଗ । ଗତ ୧୫ ମାସରେ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ଜନବିରୋଧୀ କାର୍ଯ୍ୟ ସରକାରଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାରମ୍ବାର କେନ୍ଦ୍ରକୁ ଓଡ଼ିଶାର ନ୍ୟାଯ୍ୟ ଅଧିକାର ପାଇଁ ଦାବି କରି ଆସୁଥିଲେ । ହେଲେ ରାଜ୍ୟରେ ଏବେ ବିଜେପି ସରକାର ଥିବା ସତ୍ତ୍ବେ ଓଡ଼ିଶାକୁ କେନ୍ଦ୍ର ଅବହେଳା କରୁଥିବାରୁ ପ୍ରଶ୍ନ କରିଛି ବିଜେଡି । ଏହା ବିରୋଧରେ ବିଜେଡି ଲଢେଇ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଲୋକଙ୍କ ପାଖକୁ ଯାଇ ରାଜ୍ୟବାସୀଙ୍କ ସ୍ବର ସାଜି ସମସ୍ତ ସମସ୍ୟାକୁ ନେଇ ବିଜେଡି ତୀବ୍ର ଲଢ଼େଇ କରିବାକୁ ସଜବାଜ ହେଉଛି ।

ଜନସଂପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ଯୋଡ଼ି ଚାଲିଛି ବିଜୁ ଜନତା ଦଳ । ସେବା, ସ୍ବାଭିମାନ ଓ ସଂଗ୍ରାମ ବିଜେଡିର ଆଦର୍ଶ । ବିରୋଧୀ ଦଳରେ ଥିବା ସତ୍ତ୍ବେ ଓଡ଼ିଶାବାସୀଙ୍କ ସେବା, ଓଡ଼ିଆ ଜାତିର ସ୍ବାଭିମାନର ସୁରକ୍ଷା ଓ ଓଡ଼ିଶାର ସ୍ବାର୍ଥ ପାଇଁ, ନବୀନ ପଟ୍ଟନାୟକ ସଂଗ୍ରାମ ଜାରି ରଖି ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ପାରିଛନ୍ତି ।