ଟ୍ରମ୍ପଙ୍କ ମୁଖପାତ୍ର ସାଜିଲେ ସରିଫ ; ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତକୁ କଲେ ଟାର୍ଗେଟ
1 min read
ନନ୍ଦିଘୋଷ ବ୍ୟୁରୋ: ଆମେରିକାଠାରୁ ବଳ ଗୋଟାଇ ଜାତିସଂଘରେ ଗର୍ଜିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଉଦବୋଧନ ଦେଇ ସରିଫ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତ ଉପରେ ବର୍ଷିଛନ୍ତି । ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମୁଖପାତ୍ର ସାଜିଛନ୍ତି ସରିଫ । ପହଲଗାମ ହମଲା ପରେ ସୃଷ୍ଟି ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଅସ୍ତ୍ରବିରତି କ୍ଷେତ୍ରରେ ଟ୍ରମ୍ପଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଛନ୍ତି ସରିଫ । ନିଜର ୨୫ ମିନିଟର ଅଭିଭାଷଣରେ ସେ ଟ୍ରମ୍ପଙ୍କ ପ୍ରଶଂସକ ପାଲଟିଥିବାବେଳେ ଆତଙ୍କବାଦ ପ୍ରସଙ୍ଗ ଉଠାଇନଥିଲେ। ଏପରିକି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ସେ ଦାବି କରିଥିଲେ।
ପହଲଗାମ ହମଲା ପରେ ସିନ୍ଧୁ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିଥିବାରୁ ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ସରିଫ । ଚୁକ୍ତିର ନିୟମ ଓ ଅନ୍ତର୍ଜାତୀୟ ଆଇନକୁ ଭାରତର ନିଷ୍ପତ୍ତି ଉଲ୍ଲଂଘନ କରୁଛି ବୋଲି କହିଥିଲେ ସରିଫ । ଭାରତର ଏକପାଖିଆ ନୀତି ଓ ବେଆଇନ ପଦକ୍ଷେପକୁ ସମାଲୋଚନା କରିଥିଲେ ସରିଫ। ସିନ୍ଧୁ ଜଳ ପାଇବାର ଅଧିକାର ପାକିସ୍ତାନବାସୀଙ୍କର ରହିଛି ଏବଂ ଚୁକ୍ତିର ଉଲ୍ଲଂଘନ ଯୁଦ୍ଧ ସହ ସମାନ ବୋଲି ସେ କହିଛନ୍ତି। ଏହା ସହ କାଶ୍ମୀରବାସୀଙ୍କ ସେ ରହିଛନ୍ତି ବୋଲି କହିଛନ୍ତି ସରିଫ। କାଶ୍ମୀର ଉପରେ ଭାରତ ସ୍ବେଚ୍ଛାଚାରୀ ଶାସନ ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ଅଭିଭାଷଣରେ ସେ ଚୀନ, ତୁର୍କୀ, ସାଉଦିଆରବ, କାତାର, ଅଜରବୈଜାନ, ଇରାନ, ୟୁଏଇକୁ ପ୍ରଶଂସା କରିଥିଲେ। ଗତ ଏପ୍ରିଲ ୨୨ରେ ପହଲଗାମ ହମଲାରେ ୨୬ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ସିନ୍ଧୁଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ।