ଡିଭାଇଡରକୁ ପିଟିଲା ଦ୍ରୁତଗାମୀ ଥାର ; ୫ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଥାର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ। ହରିୟାଣା ଗୁରୁଗ୍ରାମରେ ଦ୍ରୁତଗାମୀ ଥାର ଡିଭାଇଡରକୁ ଧକ୍କା ଦେବାପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଭୋର ସକାଳ ସାଢେ ୪ଟାରେ ଘଟିଥିଲା ଏ ଦୁର୍ଘଟଣା। ଜାତୀୟ ରାଜପଥ ୪୮ର ଏକଜିଟ୍ ୯ରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁଗ୍ରାମର ରାଜୀବ ଚୌକ ଅଭିମୁଖେ ଯାଉଥିବାବେଳେ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ମୃତକମାନେ ଉତ୍ତରପ୍ରଦେଶ ବାସିନ୍ଦା । କାମ ପାଇଁ ସେମାନେ ଗୁରୁଗ୍ରାମ ଆସିଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକ ଅଛନ୍ତି। ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ପରିଚୟ ମିଳିଥିବା ଛାତ୍ର ଜଣକ ୨୪ ବର୍ଷୀୟ ମହିଳା ଯିଏକି ଆଇନ ଛାତ୍ରୀ ଥିଲେ ବୋଲି କୁହାଯାଉଛି । ଦୁର୍ଘଟଣାର କାରଣ ହେଲା ଅତ୍ୟଧିକ ଦ୍ରୁତ ଗତି ବୋଲି ପୋଲିସ କହିଛି । ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଥାର ଡିଭାଇଡରରେ ଧକ୍କା ଦେଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତକଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ମେଡିକାଲରେ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ରାଜପଥରେ ଅଧିକ ସଂଖ୍ୟକ ଗତି ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ। ଏହାର ପାଳନ ନକଲେ ଗୁରୁତର ଦୁର୍ଘଟଣା ଘଟିପାରେ ବୋଲି ଲୋକେ କହିଛନ୍ତି।ଗୁରୁଗ୍ରାମରେ ଦ୍ରୁତ ଗତିରେ ଗାଡି ଚଲାଇବା ଯୋଗୁଁ ଦୁର୍ଘଟଣା ଘଟାଇବାର ଏହା ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବେ ସାଇବର ସିଟି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦ୍ରୁତ ଗତିରେ ଯାଉଥିବା କାର ଏକ ମହିନ୍ଦ୍ରା ଥର ସହିତ ଧକ୍କା ହୋଇଥିଲା।ଦୁର୍ଘଟଣା ଧକ୍କା ଏତେ ଜୋରରେ ଥିଲା ଯେ ଥାର ଏକ ବିଦ୍ୟୁତ୍ ଖୁଣ୍ଟରେ ଫସି ଯାଇଥିଲା। ଗାଡ଼ି ଚଲାଉଥିବା ଯୁବତୀ ମଧ୍ୟ ନିୟନ୍ତ୍ରଣ ହରାଇଥିଲେ ଏବଂ ଗାଡ଼ିଟି ପୋଲ ଉପରେ ପଡ଼ିଗଲା।